ବିଜେପି କର୍ମୀଙ୍କୁ ଭ୍ୟାନରେ ଉଠାଇ ନେଲା ପୋଲିସ୍
ଢେଙ୍କାନାଳ: ଆଜି ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରିବା ପାଇଁ ଅନୁଗୁଳ ଓ ଢେଙ୍କାନାଳ ଗସ୍ତରେ ଯାଇଛନ୍ତି । ତେବେ ଢେଙ୍କାନାଳରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରବଳ ବିରୋଧ କରାଯାଇଥିଲା । ମମିତା ହତ୍ୟାକାଣ୍ଡକୁ ମାସେ ପୂରିଥିଲେ ମଧ୍ୟ ଏଯାଏ ସରକାରଙ୍କ ପକ୍ଷରୁ କାହିିଁକି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ବିଜେପି ଦାବି କରିଥିଲା । ଗୃହମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ରଙ୍କ ବିହଷ୍କାର ଓ ଘଟଣାର ସିବିଆଇ ତଦନ୍ତ ଦାବି କରି ବିଜେପି ପକ୍ଷରୁ ଢେଙ୍କାନାଳରେ କଳାପତାକା ପ୍ରଦର୍ଶନ କରାଯାଇଥିଲା ।
ଏଥିପାଇଁ ବିଜେଡି ଓ ବିଜେପି କର୍ମୀ ମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହାପରେ ପୋଲିସ୍ ଢେଙ୍କାନାଳ କଲେଜ୍ ଛକରୁ ବିଜେପିର ବରିଷ୍ଠ ନେତା ରୁଦ୍ର ପାଣିଙ୍କ ସହ ୫୦ରୁ ଅଧିକ ବିଜେପି କର୍ମୀଙ୍କୁ ଏକ ଭ୍ୟାନରେ ଉଠାଇ ନେଇଥିଲା । ଏହାପରେ ପୋଲିସ୍ ସେମାନଙ୍କୁ ସେରିଷିଆପଦା ଜଙ୍ଗଲରେ ବୁଲାଉଛି ଓ ସେମାନଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ରୁଦ୍ର ଫୋନ କଲ୍ରେ କହିଥିଲେ । ଏହା ସହିତ ସେମାନଙ୍କୁ କୁଆଡେ ନିଆଯାଉଛି ବୋଲି ରୁଦ୍ର ପଚାରିଥିଲେ, କିନ୍ତୁ ପୋଲିସ୍ କୌଣସି ଉତ୍ତର ଦେଇନଥିଲା । ତେବେ ଏହା କେଉଁ ପ୍ରକାର ଅଭଦ୍ରାମି ବୋଲି ରୁଦ୍ର ପ୍ରଶ୍ନ କରିଛନ୍ତି । ସେହି ଭ୍ୟାନରେ ରୁଦ୍ରଙ୍କ ସହ ଅଞ୍ଜଳୀ ବେହେରା, ବିଭୁତି ପ୍ରଧାନ ଆଦି ନେତା ମାନେ ମଧ୍ୟ ଅଛନ୍ତି ।
Powered by Froala Editor