ଦିନକ ପାଇଁ ସ୍ଥଗିତ ସାବରିମାଳା ଯାତ୍ରା
ପ୍ରବଳ ବର୍ଷା ଯୋଗୁଁ ପମ୍ବା ସମେତ ପ୍ରମୁଖ ନଦୀମାନଙ୍କରେ ବଢ଼ି ଆସିଛି। ତେଣୁ ଦିନକ ପାଇଁ ପତନମତିଟ୍ଟା ଜିଲ୍ଲାସ୍ଥିତ ସାବରିମାଳା ପର୍ବତରେ ଅବସ୍ଥିତ ପ୍ରସିଦ୍ଧ ଆୟପ୍ପା ମନ୍ଦିର ଯାତ୍ରା ସ୍ଥଗିତ ରଖାଯାଇଛି।
ଖରାପ ପାଗ ଏବଂ କୋଭିଡ୍-୧୯ ପରିସ୍ଥିତିକୁ ଖାତର ନ କରି ଆୟପ୍ପା ମନ୍ଦିରରେ ପୂଜାର୍ଚ୍ଚନା କରିବାକୁ ବହୁସଂଖ୍ୟକ ଯାତ୍ରୀ ପର୍ବତ ଆରୋହଣ କରୁଛନ୍ତି। ଯାହାକୁ ନଜରରେ ରଖି ଶୁକ୍ରବାର ଦିନ ପତନମତିଟ୍ଟା ଜିଲ୍ଲା ପ୍ରଶାସନ ଆଦେଶ ଜାରି କରିଥିଲା। ଜିଲ୍ଲାପାଳ ଦିବ୍ୟ ଏସ୍ ଆୟେର୍ ଜାରି କରିଥିବା ଉକ୍ତ ଆଦେଶନାମାରେ ଉଲ୍ଲେଖ ଅଛି, ଯାତ୍ରୀମାନଙ୍କ ନିରାପତ୍ତା ବିଷୟରେ ସୁନିଶ୍ଚିତ ହେବା ଲାଗି ଆସନ୍ତାକାଲି ପମ୍ବା ଏବଂ ସାବରିମାଳା ଯାତ୍ରା ନିଷେଧ କରାଯାଉଛି। ସୂଚନା ଯେ, ରେର୍ଡ ଆଲର୍ଟ ଜାରି ହୋଇଥିବା ପମ୍ବା ଜଳଭଣ୍ଡାରକୁ ଆଜି ଖୋଲାଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି। ପାଗ ଅନୁକୂଳ ହେଲେ ଭର୍ଚ୍ୟୁଆଲ୍ ମାଧ୍ୟମରେ ଧାଡ଼ି ବାନ୍ଧିଥିବା ଯାତ୍ରୀମାନଙ୍କୁ ଦର୍ଶନ ସୁଯୋଗ ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି।
Powered by Froala Editor