ଆତଙ୍କବାଦୀ ହମ୍ଲା : କମାଣ୍ଡିଂ ଅଫିସର କର୍ଣ୍ଣଲଙ୍କ ସହ ୪ ଜଣ ଯବାନ ସହିଦ

ମଣିପୁରରେ ୪୬ ଆସାମ ରାଇଫଲ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୪ଜଣ ଯବାନଙ୍କ ସହ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ରମଣରେ କମାଣ୍ଡିଂ ଅଫିସର କର୍ଣ୍ଣଲ ବିପ୍ଲବ ତ୍ରିପାଠୀ ଏବଂ ୪ ଜଣ ଯବାନ ସହିଦ ହୋଇଛନ୍ତି । ସେହିପରି କର୍ଣ୍ଣଲଙ୍କ ପତ୍ନୀ ଏବଂ ପୁଅର ମୃତ୍ୟୁ ଘଟିଛି । ଘଟଣା ଚୁରାଚାନ୍ଦପୁର ଜିଲ୍ଲା ସିଂଘାଟରେ ଘଟିଛି । ମଣିପୁରସ୍ଥିତ ପିପୁଲ୍ସ ଲିବରେସନ୍ ଆର୍ମି ଏହି ଆକ୍ରମଣ ପଛରେ ଥିବା ସନ୍ଦେହ କରାଯାଉଛି।
ସୂଚନା ମୁତାବକ, ଶନିବାର ସକାଳ ୧୦ ଟାରେ ମଣିପୁର ଆସାମ ରାଇଫଲର କମାଣ୍ଡିଙ୍ଗ ଅଫିସର କର୍ଣ୍ଣେଲ ବିପ୍ଲବ ତ୍ରିପାଠୀ ଓ ତାଙ୍କ ପରିବାର ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ସେଖନ-ବୋହିଅଙ୍ଗ ପୁଲିସ ଷ୍ଟେସନ ନିକଟରେ ଏ ଘଟଣା ଘଟିଥିଲା । ୪୬ ଆସାମ ରାଇଫଲର କମାଣ୍ଡିଙ୍ଗ ଅଫିସର ନିଜ ପରିବାର ସହିତ ଯାଉଥିବା ବେଳେ ଆତଙ୍କବାଦୀମାନେ ତାଙ୍କ ଗାଡି ଉପରକୁ ହଠାତ ଆକ୍ରମଣ କରିଥିଲେ । ଆକ୍ରମଣରେ କମାଣ୍ଡିଙ୍ଗ ଅଫିସରଙ୍କ ପତ୍ନୀଙ୍କ ସହ ମୋଟ ୭ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ କମାଣ୍ଡିଂ ଅଫିସରଙ୍କୁ ମିଶାଇ ୫ଜଣ ଯବାନ ଏବଂ କମାଣ୍ଡିଂ ଅଫିସରଙ୍କ ପତ୍ନୀ ଓ ପୁଅ ଥିବା ଜଣାପଡ଼ିଛି।
ଘଟଣା ପରେ ପୂରା ଅଞ୍ଚଳକୁ ସୁରକ୍ଷାକର୍ମୀ ଘେରି ରହିଛନ୍ତି । ଘଟଣା ପରେ ଦୁଇ ସନ୍ଦିଗ୍ଧଙ୍କୁ ସୁରକ୍ଷାକର୍ମୀ ଅଟକ ରଖି ପଚରାଉଚରା କରିବା ପରେ ଛାଡ଼ି ଦେଇଛନ୍ତି । ଚାରିଆଡୁ ଏହି ଆକ୍ରମଣକୁ ନିନ୍ଦା କରାଯିବା ସହ ଆତଙ୍କବଦୀଙ୍କୁ ଉଚିତ ଜବାବ ଦେବାକୁ ଦାବି ଉଠୁଛି ।
Powered by Froala Editor