ସାମ୍ବାଦିକ ମାରିଆ ରେସା ଏବଂ ଡିମିଟ୍ରି ମୁରାଟୋବଙ୍କୁ ଶାନ୍ତି ପୁରସ୍କାର
ଚଳିତବର୍ଷ ଦୁଇ ସାମ୍ବାଦିକଙ୍କୁ ମିଳିତ ଭାବେ ନୋବେଲ ଶାନ୍ତି ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି। ସେମାନେ ହେଲେ ମାରିଆ ରେସା ଓ ଡିମିଟ୍ରି ମୁରାତୋଭ। ବାକ ସ୍ବାଧୀନତା ପାଇଁ ଉଭୟ ଖବରଦାତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ଦିଆଯିବ। ମାରିଆ ରେସା ଫିଲିପାଇନ୍ସ ଏବଂ ଡିମିଟ୍ରି ମୁରାତୋଭ ଋଷର ବାସିନ୍ଦା ଅଟନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ୨୦୨୦ ମସିହାରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫପି) କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ଷ୍ଟକହୋମରେ ଥିବା ରୟାଲ୍ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନ୍ସେସ୍ ପ୍ୟାନେଲ ପକ୍ଷରୁ ନାଁ ଘୋଷଣା କରାଯାଇଛି । ନୋବେଲ ଶାନ୍ତି ପୁରସ୍କାର ବିଜେତାଙ୍କୁ ବର୍ତ୍ତମାନ ୧.୧ ମିଲିୟନ ଡଲାରର ପୁରସ୍କାର ରାଶି ପ୍ରଦାନ କରାଯିବ।
ନରୱେ ନୋବେଲ କମିଟିର ସଭାପତି ବେରିଟ୍ ରିସ୍-ଆଣ୍ଡର୍ସେନ୍ କହିଛନ୍ତି, ଗଣତନ୍ତ୍ର ଏବଂ ଗଣମାଧ୍ୟମର ସ୍ୱାଧୀନତା ଦିନକୁ ଦିନ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଥିବା ବେଳେ ମାରିଆ ରେସା ଏବଂ ଡିମିଟ୍ରି ମୁରାଟୋବ ବାକ୍ ସ୍ବାଧୀନତାକୁ ସୁରକ୍ଷା ଦେଉଥିବା ସାମ୍ବାଦିକଙ୍କ ପ୍ରତିନିଧୀ ପାଲଟିଛନ୍ତି। ୨୦୧୨ରୁ, ରେସା ଅନୁସନ୍ଧାନକାରୀ ସାମ୍ବାଦିକତା ପାଇଁ ଏକ ଡିଜିଟାଲ୍ ମିଡିଆ କମ୍ପାନି ରାପ୍ଲରର ସହ-ପ୍ରତିଷ୍ଠାତା ଭାବେ କାମ ଆରମ୍ଭ କରିଥିଲେ, ଯାହାକି ସେ ଏପର୍ଯ୍ୟନ୍ତ ଜାରି ରଖିଛନ୍ତି। ନିଜ ଡିଜିଟାଲ ମିଡିଆ କମ୍ପାନି ଦ୍ବାରା ସେ ଅନେକ ଅପରାଧର ଅନୁସନ୍ଧାନ କରିଛନ୍ତି। ସେହି ଭଳି ମୁରାଟୋବ ୧୯୯୩ ରେ, ନୋଭାୟା ଗଜେତା ନାମକ ଖବରକାଗଜର ପ୍ରତିଷ୍ଠା କରିଥିଲେ। ଖବରକାଗଜ ଜରିଆରେ ସେ ବାକ୍ ସ୍ବାଧୀନତାକୁ ସୁରକ୍ଷା ଦେଇଥିବା ସହ ୧୯୯୫ମସିହାରୁ ଏହାର ମୁଖ୍ୟ ସମ୍ପାଦକ ଭାବରେ କାର୍ଯ୍ୟ କରିଆସୁଛନ୍ତି।
Powered by Froala Editor