ମିଳିଲାନି ଜାମିନ, ଜେଲ୍ରେ ରହିବେ ଆର୍ୟନ
କ୍ରୁଜ ପାର୍ଟି ମାମଲାରେ ଗିରଫ ହୋଇଥିବା ଆର୍ୟନ ଖାନ୍ଙ୍କ ଜାମିନ ନାମଞ୍ଜୁର କରିଦେଇଛନ୍ତି ମୁମ୍ବାଇ କୋର୍ଟ। ଆର୍ୟନଙ୍କ ସମେତ ଅରବାଜ ମର୍ଚ୍ଚେଣ୍ଟ ଏବଂ ମୁନମୁନ୍ ଧମେଚାଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟ ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଆର୍ୟନ ଖାନ୍, ଅରବାଜ ମର୍ଚ୍ଚେଣ୍ଟ ଏବଂ ମୁନ୍ମୁନ୍ ଧମେଚାଙ୍କ ଜାମିନ ଆବେଦନ ଶୁଣାଣି ଯୋଗ୍ୟ ନୁହେଁ ବୋଲି କୋର୍ଟ କହିଛନ୍ତି। ସମସ୍ତଙ୍କୁ ଏବେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିବାକୁ ପଡିବ। ବର୍ତ୍ତମାନ ଆର୍ୟନଙ୍କ ଜାମିନ ଆବେଦନ ସେସନ କୋର୍ଟରେ ଦାଖଲ କରାଯିବ।
ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ସମୟରେ ମାଜିଷ୍ଟ୍ରେଟ୍ କହିଛନ୍ତି, ମୁଁ ରିମାଣ୍ଡ ଅର୍ଡରରେ ସୁଧାର କରିବି। ମୁଁ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣି ସାରିଛି। କିନ୍ତୁ ଅଭିଯୁକ୍ତ ପକ୍ଷଙ୍କ ଜାମିନ ଆବେଦନ ତର୍କସଙ୍ଗତ ନୁହେଁ ଏବଂ ଗ୍ରହଣୀୟ ମଧ୍ୟ ନୁହେଁ। ସେଥିପାଇଁ ମୁଁ ଏହି ଜାମିନ ଆବେଦନ ଖାରଜ କରୁଛି।
ଆର୍ୟନଙ୍କ ଓକିଲ ସତୀଶ ମାନସିନ୍ଦ କୋର୍ଟଙ୍କୁ କହିଥିଲେ ଯେ ଜାମିନ ପ୍ରଦାନ କରିବାର ମାଜିଷ୍ଟ୍ରେଟ କୋର୍ଟଙ୍କର କ୍ଷମତା ରହିଛି। ମନସିନ୍ଦ କହିଛନ୍ତି ଯେ ଯଦି କୋର୍ଟର ରିମାଣ୍ଡରେ ନେବାକୁ କ୍ଷମତା ଅଛି, ତେବେ ଜାମିନ ପ୍ରଦାନ କରିବାର କ୍ଷମତା ମଧ୍ୟ କୋର୍ଟର ଅଧିନରେ ରହିଛି।
ତାଙ୍କ କହିବା ମୁତାବକ, ଆର୍ୟନ ଖାନ୍ଙ୍କ ବିରୋଧରେ ଅଭିଯୋଗ ରହିଛି କିନ୍ତୁ ତାଙ୍କ ବିରୋଧରେ ଏଯାଏଁ କିଛି ମିଳିନାହିଁ। ଏନ୍ସିବି ଆର୍ୟନଙ୍କୁ ୫ ଦିନ କଷ୍ଟଡିରେ ରଖିଲା କିନ୍ତୁ ତାଙ୍କ ବିରୋଧରେ କିଛି ବି ପ୍ରମାଣ ବାହାର କରିପାରିଲା ନାହିଁ। ଆର୍ୟନ ଏକ ସଭ୍ୟ ପରିବାରର ପୁଅ। ତାଙ୍କର ଅନ୍ୟ ଅଭିଯୁକ୍ତଙ୍କ ସହ କୌଣସି ସମ୍ପର୍କ ନାହିଁ। ଏଭଳି ସ୍ଥିତିରେ ତାଙ୍କୁ ଜେଲ୍ ପଠାଇବା ଠିକ୍ ନୁହେଁ ବୋଲି ତାଙ୍କ ଓକିଲ ଅଦାଲତଙ୍କୁ କହିଥିଲେ। ତେବେ ଜାମିନ ଶୁଣାଣି ପୂର୍ବରୁ ହିଁ ଆର୍ୟନଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି। ଆର୍ୟନଙ୍କ ସମେତ ୮ ଅଭିଯୁକ୍ତଙ୍କ ସହ ସେ ଜେଲ୍ ପହଞ୍ଚିଛନ୍ତି। ଜେଲ ପଠାଇବା ପୂର୍ବରୁ ସମସ୍ତ ଅଭିଯୁକ୍ତଙ୍କ ଏନ୍ସିବି ଡାକ୍ତରୀ ଯାଞ୍ଚ କରିଛି।
ସୂଚନାଯୋଗ୍ୟ ଏ ପର୍ଯ୍ୟନ୍ତ ଏହି ମାମଲାରେ ମୋଟ୍ ୧୭ ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ଜଣେ ବିଦେଶୀ ନାଗରିକ ମଧ୍ୟ ସାମିଲ୍। ଏହି ମାମଲାରେ ଅଧିକାରୀ କୋକିନ, ମେଫେଡ୍ରୋନ, ଚରସ, ହାଇଡ୍ରୋପୋନିକ ଓ ଏମଡିଏମଏ ପରି ଅନେକ ଡ୍ରଗ୍ସ ଏବଂ ୧.୩୩ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି।
Powered by Froala Editor