ନମାଜବେଳେ ଭୟଙ୍କର ବିସ୍ଫୋରଣ, ଚାରିଆଡେ ବିଛେଇ ହୋଇ ପଡିଛି ମୃତଦେହ

ଆଫଗାନିସ୍ତାନର କୁନ୍ଦୁଜ ପ୍ରାନ୍ତରେ ଶିୟା ସମ୍ପ୍ରଦାୟ ସହ ଜଡିତ ଏକ ମସଜିଦରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି। ଅପରାହ୍ଣରେ ସାମୂହିକ ନମାଜ ପାଠ ଚାଲିଥିବା ବେଳେ ଘଟିଛି ଭୟଙ୍କର ବିସ୍ଫୋରଣ। ଏହି ବିସ୍ଫୋରଣରେ ଅତିକମରେ ୫୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି।
ଋଷି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିସ୍ଫୋରଣରେ ଅନେକ ଲୋକ ମୃତାହତ ହୋଇଛନ୍ତି। ସୋସିଆଲ ମିଡ଼ିଆରେ ବିସ୍ଫୋରଣର କିଛି ଫଟୋ ଭାଇରାଲ ହୋଇଛି। ମସଜିଦର ବିଭିନ୍ନ ସ୍ଥାନରେ ଶବ ବିଛେଇ ହୋଇ ପଡିଥିବା ଫଟୋରେ ଦେଖିବାକୁ ମିଳିଛି। ନ୍ୟୁଜ ଏଜେନ୍ସି ଏଏଫପି କହିଛି ଯେ ବିସ୍ଫୋରଣରେ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ହୋଇଛି।
ସେଣ୍ଟ୍ରାଲ୍ ହସ୍ପିଟାଲର ଜଣେ ଡାକ୍ତର, ନିଜର ନାମ ଗୋପନ ରଖି କହିଛନ୍ତ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ୪୫ଟି ମୃତଦେହ ପାଇଛୁ ଏବଂ ଆମ ଡାକ୍ତରଖାନାରେ ୮୦ ରୁ ଅଧିକ ଆହତ ଲୋକ ଚିିକିତ୍ସିତ ହେଉଛନ୍ତି। ଅନ୍ୟ ଏକ ହସ୍ପିଟାଲରେ ଅତି କମରେ ୧୫ ଜଣଙ୍କ ମୃତଦେହ ମିଳିଥିବା ଏକ ସୂତ୍ରରୁ ପ୍ରକାଶ। ଏହି ବିସ୍ଫୋରଣ ଘଟଣାରେ ଜଣେ ବିଦେଶୀ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜାଣିବାକୁ ମିଳିଛି।
ଏବେ ଯାଏଁ କୌଣସି ସଂଗଠନ ହମଲା ପାଇଁ ଦାୟୀ ଦାବି କରିନାହାନ୍ତି। ଆଫଗାନିସ୍ତାନରେ ତାଲିବାନ କବଜା କରିବା ପରେ ଏଠାରେ ଇସ୍ଲାମିକ ଷ୍ଟେଟ ହମଲା କରୁଛି। ଦୁଇ ସଂଗଠନ ମଧ୍ୟରେ ବିବାଦ ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି।
Powered by Froala Editor