୬ରୁ ଫେରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: : ଅକ୍ଟୋବର ୬ରୁ ଫେରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଜୁନରେ ଆସିଥିବା ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜସ୍ଥାନରୁ ଆସନ୍ତା ୬ ତାରିଖରେ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିବ । ଏନେଇ ଭାରତୀୟ ପାଣିପାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ସାଧାରଣତଃ ଅକ୍ଟୋବର ୧୨ ରୁ ୧୫ ମଧ୍ୟରେ ସମ୍ପୂର୍ଣ୍ଣ ଭାରତରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିଥାଏ ଏବଂ ଏହାପରେ ଉତ୍ତରପୂର୍ବ ମୌସୁମୀ ବାୟୁ ଆରମ୍ଭ ହୁଏ। ଚଳିତ ବର୍ଷ ୨୦ ତାରିଖ ସୁଦ୍ଧା ଏହା ଫେରିପାରେ।
ଉତ୍ତରପୂର୍ବ ମୌସୁମୀ ବାୟୁ ଆରମ୍ଭ ହେଲେ ଏହାର ପ୍ରଭାବ ସାଧାରଣତଃ ଦକ୍ଷିଣ ଭାରତରେ ପଡିଥାଏ। ଏହାର ପ୍ରଭାବ ଅକ୍ଟୋବରରୁ ଡିସେମ୍ବର ପର୍ୟ୍ୟନ୍ତ ରହେ। କର୍ଣ୍ଣାଟକ, ତାମିଲନାଡୁ, କେରଳ, ପଡୁଚେରୀ, ଲାକ୍ଷାଦୀପ ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହୁଏ। ଏହାର ପ୍ରଭାବରେ ବାତ୍ୟା ଓ ଗଭୀର ଅବପାତ ହୋଇଥାଏ।
ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବରେ ବାତ୍ୟାର ସମ୍ଭାବନା ସୃଷ୍ଟି ହୋଇଥାଏ। ଏହି ସମୟରେ ବଙ୍ଗୋପସାଗରରେ ବାତ୍ୟା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରେ। ଦେଶରେ ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦ୍ଵାରା ସାଧାରଣ ବର୍ଷା ହୋଇଛି। ଦେଶର ୩୬ଟି ପାଣିପାଗ ସବଡିଭିଜନରୁ ୩୦ଟିରେ ସାଧାରଣ ବର୍ଷା ହୋଇଥିବା ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
Powered by Froala Editor