ଟିକାକରଣରେ ରେକର୍ଡ ଅତିକ୍ରମ କଲା ଓଡିଶା
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହାସ ପାଉଥିବାବେଳେ, କରୋନା ବିରୋଧରେ ଲଢିବା ପାଇଁ ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ପ୍ରକ୍ରିୟା ଜାରି ରହିଛି । ଟିକାକରଣରେ ଏକ ରେକର୍ଡ ଅତିକ୍ରମ କରିଛି ଓଡିଶା । ରାଜ୍ୟରେ ୩ କୋଟି ଡୋଜରୁ ଅଧିକ କରୋନା ଟିକା ଦିଆଯାଇଛି । ଗତ ମଙ୍ଗଳବାର ଦିନ ୧୩୪୪ ଟିକା କେନ୍ଦ୍ରରେ ୨ ଲକ୍ଷ ୪୩ ହଜାର ୭୨ ଡୋଜ୍ ଟିକା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ୩ କୋଟି ୧୦ ଲକ୍ଷ ୫ ହଜାର ୯୮୭ ଡୋଜ୍ ଟିକା ଦିଆଯାଇଛି । ୨ କୋଟି ୨୦ ଲକ୍ଷରୁ ଅଧିକ ଲୋକ ୧ ଡୋଜ୍ ଟିକା ନେଇଥିବା ବେଳେ ୮୨ ଲକ୍ଷରୁ ଅଧିକ ଲୋକ ନେଇଛନ୍ତି ଦୁଇ ଡୋଜ୍ ଟିକା । ଏଭଳି ସଫଳତା ପାଇଁ ସ୍ୱାସ୍ଥ୍ୟକର୍ମୀ ଓ ରାଜ୍ୟବାସୀଙ୍କ ଧନ୍ୟବାଦ ଜଣାଇଛି ସ୍ୱାସ୍ଥ୍ୟ ବିଭାଗ ।
ସେହିପରି ଦେଶରେ ମୋଟ ୮୭ କୋଟି ୬୦ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ୬୪ କୋଟିରୁ ଅଧିକ ଲୋକ ୧ ଡୋଜ୍ ଟିକା ନେଇଥିବା ବେଳେ ୨୩ କୋଟିରୁ ଅଧିକ ଲୋକ ଦୁଇ ଡୋଜ୍ ନେଇଛନ୍ତି । ଟିକାକରଣ କରାଯିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିବା ପରେ ଟିକାକରଣ ବଢିବାରେ ଲାଗିଛି । ମାତ୍ର ନିକଟରେ ବାତ୍ୟା କାରଣରୁ ରାଜ୍ୟରେ କିଛିଦିନ ପାଇଁ ଟିକାକରଣ ଧିମେଇ ଯାଇଥିଲା ।
ଆଜି ରାଜ୍ୟରେ ୧୬୮୪ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଏବେ ୧୨.୭ଲକ୍ଷ କୋଭିସିଲ୍ଡ ଓ ୪.୨୭ଲକ୍ଷରୁ ଅଧିକ କୋଭାକ୍ସିନ୍ ଟିକା ମହଜୁଦ ରହିଛି । ତେବେ ଆସନ୍ତା ଅକ୍ଟୋବର ମାସରେ କେନ୍ଦ୍ର ସରକାର ଓଡିଶାକୁ ଆବଣ୍ଟିତ ଟିକାର ପରିମାଣକୁ ବଢାଇ ଦେଇଛନ୍ତି । ଅକ୍ଟୋବରରେ ରାଜ୍ୟକୁ ୭୮ଲକ୍ଷରୁ ଅଧିକ ଡୋଜ୍ ଟିକା ମିଳିବ । ଯାହାକି ଚଳିତମାସ ତୁଳନାରେ ୧୮ଲକ୍ଷ ଡୋଜ୍ ଅଧିକ ବୋଲି ସୂଚନା ମିଳିଛି ।
Powered by Froala Editor