ହାତ ଧରିଲେ କହ୍ନେୟା ଓ ଜିଗ୍ନେଶ
ସିପିଆଇ ନେତା ତଥା ପୂର୍ବତନ ଜେଏନୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଓ ଗୁଜୁରାଟରୁ ସ୍ୱାଧୀନ ବିଧାୟକ ଥିବା ଜିଗ୍ନେଶ ମେୱାନି ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି ଦୁଇ ଯୁବ ନେତା । ଏହି ଦୁଇ ନେତାଙ୍କୁ ଦଳରେ ସାମିଲ କରି ଯୁବ ନେତୃତ୍ୱଙ୍କୁ ଗୁରୁତ୍ୱ ଦେଉଥିବା ନେଇ କଂଗ୍ରେସ ସଂକେତ ଦେଇଛି ।
ପୂର୍ବରୁ ଉଭୟ ଅକ୍ଟୋବର ୨ରେ କଂଗ୍ରେସରେ ମିଶିବେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। କିନ୍ତୁ ସେମାନେ ଆଜି ଦଳରେ ମିଶିଛନ୍ତି। ଏଥିପାଇଁ ଏଆଇସିସି ମୁଖ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ରାହୁଲଙ୍କ ଗାନ୍ଧିଙ୍କ ବ୍ୟତୀତ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା, ବରିଷ୍ଠ ନେତା କେକେ ଭେନୁଗୋପାଲ ଓ ଅନ୍ୟ ପ୍ରମୁଖ ନେତାମାନେ ଉପସ୍ଥିତ ରହିଥିଲେ।
ଆସନ୍ତାବର୍ଷ ଉତ୍ତରପ୍ରଦେଶ ଓ ଗୁଜୁରାଟରେ ନିର୍ବାଚନ ହେବାକୁ ଥିବା ବେଳେ ଉଭୟ କହ୍ନେୟା ଓ ଜିଗ୍ନେଶଙ୍କୁ ବଡ ଦାୟିତ୍ୱ ଦେଇପାରେ କଂଗ୍ରେସ । ଏହାଛଡା ଗୁଜୁରାଟରୁ ଜିଗ୍ନେଶ ବିଧାୟକ ଥିବା ବେଳେ ଏହା ଆସନ୍ତା ନିର୍ବାଚନରେ ଦଳକୁ ସୁହାଇବ ବୋଲି ଆକଳନ କରାଯାଉଛି ।
Powered by Froala Editor