ଟଳମଳ ପଞ୍ଜାବ କଂଗ୍ରେସ : ଇସ୍ତଫା ଦେଲେ ନବଜୋତ ସିଂହ ସିଦ୍ଧୁ ଓ ରଜିଆ ସୁଲତାନା
ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି। ନବଜୋତ ସିଂହ ସିଦ୍ଧୁ ଆଉ କେଉଁ ଦଳରେ ଯୋଗ ଦେବେ ନା କଂଗ୍ରେସରେ ରହି ନିର୍ଵାଚନ ପାଇଁ କାମ କରିବେ ସେ ନେଇ ଚର୍ଚ୍ଚା ଜୋର ଧରିଛି | ତେବେ ସିଦ୍ଧୁ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପଞ୍ଜାବର ଭବିଷ୍ୟତ ସହ କେବେ ବି ସାଲିସ କରିପାରିବି ନାହିଁ | ତେଣୁ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହେଲି ବୋଲି ସେ କହିଛନ୍ତି | ତେବେ, ଦଳର ପ୍ରଦେଶ ସଭାପତି ପଦରୁ ଇସ୍ତଫା ଦେଇଥିଲେ ବି ଜଣେ କର୍ମୀ ଭାବେ ଦଳରେ ସାମିଲ ରହିବେ ବୋଲି ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।
କୌଣସି ପୂର୍ବାଭାସ ନଥାଇ ସେ ହଠାତ୍ ଇସ୍ତଫା ଦେବା ସମସ୍ତଙ୍କୁ ଚକିତ କରିଛି। କିନ୍ତୁ କୁହାଯାଉଛି ଏହା ମଧ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସହିତ ତାଙ୍କର ମତଭେଦ ହୋଇସାରିଛି। ରାଣା ଗୁରଜିତ ସିଂହଙ୍କୁ ମନ୍ତ୍ରୀ କରିବା ନେଇ ଏକ ଗୋଷ୍ଠୀ ନାପସନ୍ଦ କରିଥିଲେ। ସେମାନେ ଏହାକୁ ବିରୋଧ କରିଥିବା ବେଳେ ସିଦ୍ଧୁ ମଧ୍ୟ ସେମାନଙ୍କ ସପକ୍ଷରେ ଯାଇ ରାଣା ଗୁରଜିତଙ୍କୁ ମନ୍ତ୍ରୀ ନକରିବାକୁ ଚନ୍ନିଙ୍କୁ କହିଥିଲେ। ତେବେ ଚନ୍ନିଙ୍କ ତାଙ୍କ କଥା ମାନି ନଥିଲେ ବୋଲି କୁହାଯାଉଛି। ତେବେ ପ୍ରକୃତ କାରଣ କ’ଣ ଏଯାଏଁ ଜଣାପଡିନାହିଁ।
ନବଜୋତ ସିଂହ ସିଦ୍ଧୁ ଇସ୍ତଫା ଦେବା ପରେ ପଞ୍ଜାବ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ରଜିଆ ସୁଲତାନା ମଧ୍ୟ ଇସ୍ତଫା ଦେଇଛନ୍ତି। ରଜିଆ ସୁଲତାନା ଜଳ ଯୋଗାଣ, ମହିଳା ଏବଂ ଶିଶୁ ବିକାଶ ବିଭାଗର ଦାୟିତ୍ୱ ସମ୍ଭାଳୁଥିଲେ | ସେହିପରି ସୁଲତାନା ଓ ସିଦ୍ଧୁଙ୍କ ଇସ୍ତଫା ପରେ ପଞ୍ଜାବ କଂଗ୍ରେସର ସାଧାରଣ ସମ୍ପାଦକ ଯୋଗୀନ୍ଦର ଧିଙ୍ଗ୍ରା ଏବଂ ପଞ୍ଜାବ କଂଗ୍ରେସର କୋଷାଧ୍ୟକ୍ଷ ଗୁଲଜର ଇନ୍ଦର ଚହଲ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରଜିଆ କହିଛନ୍ତି ଯେ ନବଜୋତ ସିଂ ସିଦ୍ଧୁଙ୍କର କୌଣସିଥିରେ ଲୋଭ ନାହିଁ। ସେ ପଞ୍ଜାବ ଏବଂ ପଞ୍ଜାବବାସୀଙ୍କ ପାଇଁ ଲଢ଼ୁଛନ୍ତି ।
Powered by Froala Editor