ଜମି ଆବଣ୍ଟନ ମାମଲା : ସୌରଭ ଗାଙ୍ଗୁଲିଙ୍କୁ ୧୦ ହଜାର ଫାଇନ
କୋଲକାତା ହାଇକୋର୍ଟ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଉପରେ ଜରିମାନା ଲଗାଇଛନ୍ତି । ଜମି ଆବଣ୍ଟନକୁ ନେଇ ଏହି ଜରିମାନା ଲାଗିଥିବା ସୂଚନା ମିଳିଛି । ଗାଙ୍ଗୁଲିଙ୍କ ସହ ପଶ୍ଚିମବଙ୍ଗ ସରକାର ଓ ନଗର ନିର୍ମାଣ ବିଭାଗ ଉପରେ ମଧ୍ୟ କୋର୍ଟ ଜରିମାନା ଲଗାଇଛନ୍ତି ।
ସୂଚନା ମୁତାବକ, ସୌରଭ ଗାଙ୍ଗୁଲିଙ୍କୁ କ୍ରିକେଟ ଆକାଡେମୀ ଖୋଲିବା ପାଇଁ ପଶ୍ଚିମବଙ୍ଗ ସରକାରର ଆବାସ ନିଗମ ହିଡ୍କୋ ସଲ୍ଟଲେକର ସିଏ ବ୍ଲକରେ ଏକ ଜମି ଦେଇଥିଲା। କିନ୍ତୁ ବିବାଦ ପରେ ସୌରବ ଗାଙ୍ଗୁଲି ସେହି ଜମିକୁ ଫେରାଇ ଦେଇଥିଲେ। ଏହି ସମୟ ମଧ୍ୟରେ ସେହି ଜମିକୁ ନେଇ ଆଇନଗତ ସମସ୍ୟା ଦେଖାଦେଇଥିଲା। ବିନା ଟେଣ୍ଡରରେ ଉକ୍ତ ଜମି ସୌରଭ ଗାଙ୍ଗୁଲିଙ୍କୁ ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା। 'ସଲ୍ଟଲେକ୍ ହ୍ୟୁମାନିଟି' ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ରାଜ୍ୟ ସରକାରଙ୍କ ବିରୋଧରେ ମାମଲା ଦାୟର କରିଥିଲା। ଏହି ମାମଲାର ଶୁଣାଣି କରି ଆଜି କୋଲକାତା ହାଇକୋର୍ଟ ଉଭୟ ସୌରଭ ଗାଙ୍ଗୁଲି ଏବଂ ପଶ୍ଚିମବଙ୍ଗ ସରକାରଙ୍କ ଆବାସ ନିଗମ ଠାରୁ ଜରିମାନା ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ହାଇକୋର୍ଟ ଗାଙ୍ଗୁଲିଙ୍କୁ ୧୦ ହଜାର ଟଙ୍କାର ଫାଇନ ଲଗାଇଛନ୍ତି । ସେହିପରି ପଶ୍ଚିମବଙ୍ଗ ସରକାରଙ୍କ ଉପରେ ୫୦ ହଜାର ଓ ନିଗର ବିକାଶ ନିଗମ ଉପରେ ୩୦ ହଜାର ଟଙ୍କାର ଜରିମାନା ଲାଗିଛି ।
ଜଷ୍ଟିସ ରାଜେଶ ବିନ୍ଦଲ ଓ ଜଷ୍ଟିସ ଅରିଜିତ ବାନାର୍ଜୀଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ । ଶୁଣାଣି କରି କୋର୍ଟ କହିଥିଲେ ଯେ, ଦେଶ ସଦାବେଳେ ଖେଳାଳିଙ୍କ ସହ ରହିଛି । ସୌରଭ ଗାଙ୍ଗୁଲି ସାରା ବିଶ୍ୱରେ ଦେଶ ପାଇଁ ଗର୍ବ ଆଣିଛନ୍ତି । କିନ୍ତୁ ସମ୍ବିଧାନ ଆଗରେ ସମସ୍ତେ ସମାନ । କେହି ଏହାଠୁ ଉପରେ ନୁହେଁ ।
Powered by Froala Editor