ବାତ୍ୟା ପାଇଁ ଛୁଟି ବାତିଲ
ଭୁବନେଶ୍ୱର: ବାତ୍ୟା ଗୁଲାବ ପାଇଁ ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏସବୁ ଜିଲ୍ଲା ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍ ପାଇଁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ମଞ୍ଜୁର ହୋଇଥିବା ଛୁଟିକୁ ବାତିଲ୍ କରି ଦିଆଯାଇଛି ।
ବଙ୍ଗୋପସାଗର ଉପକୂଳକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଗୁଲାବ । ୮ଟା ୩୦ ସୁଦ୍ଧା ଗୋପାଳପୁର ଠାରୁ ୧୮୦ କିମି ଦୂରରେ ଗୁଲାବ ରହିଛି । ଆନ୍ଧ୍ର କଳିଙ୍ଗପଟ୍ଟନମ ଠାରୁ ୨୮୦ କିମି ଦୂରରେ ଗୁଲାବ ରହିଛି । ଗତ ୬ଘଣ୍ଟାରେ ଗୁଲାବର ବେଗ ରହିଛି ଘଣ୍ଟା ପ୍ରତି ୧୭ କିଲୋମିଟର । ରାତି ପ୍ରାୟ ୯ଟା ପରେ ଗୋପାଳପୁର ଓ କଳିଙ୍ଗପଟ୍ଟନମ ମଝିରେ ଲ୍ୟାଣ୍ଡଫଲ କରିବ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।
ତାଙ୍କ ସୂଚନା ଅନୁଯାୟୀ ଲ୍ୟାଣ୍ଡଫଲ ପ୍ରକି୍ରୟା ପ୍ରାୟ ୩ଘଣ୍ଟା ପର୍ଯ୍ୟନ୍ତ ରହିବ । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବେଶି ପ୍ରଭାବ ପଡ଼ିବା ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୭୫ରୁ ୮୫ କିମି ରହିବ । ଭୁବନେଶ୍ୱରରେ ମଧ୍ୟ ଦିନ ତମାମ ବର୍ଷା ଲାଗି ରହିବ । ଆଜି ଆଉଟର ବେଲ୍ଟ ଉପକୂଳ ଓଡ଼ିଶାରେ ବି ବର୍ଷା ହେବ ।
ଜଳବନ୍ଦୀ ସ୍ଥିତି ଏଡ଼ାଇବାକୁ ଯନ୍ତ୍ରପାତି ଓ ପମ୍ପସେଟ୍ ପ୍ରସ୍ତୁତ ରଖିବାକୁ ଗୃହ ଓ ସହରାଞ୍ଚଳ ବିଭାଗ ନିର୍ଦ୍ଦେଶ ଦଇଛି । ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ କୁହାଯାଇଛି । ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହେବା ଆଶଙ୍କା ଥିବାରୁ ଡିଜି ସେଟ୍ସ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରାଞ୍ଚଳରେ କଣ୍ଟ୍ରୋଲ୍ ରୁମ୍ ଖୋଲାଯିବ ।
ଜଳାର୍ଣ୍ଣବ ସ୍ଥିତି ଏଡ଼ାଇବାକୁ ଡ୍ରେନ୍ ଗୁଡ଼ିକ ଉପରେ ନଜର ରଖାଯିବ । ଡ୍ରେନକୁ ସଫା କରାଯିବା ସହ ଆସନ୍ତାକାଲି ରାସ୍ତା ସଫେଇ ପାଇଁ ମନା କରାଯାଇଛି । ଅଧିକ ଜଳପ୍ରବାହ ପାଇଁ ଦୁର୍ଘଟଣା ଘଟୁଥିବା ସ୍ଥାନରେ ବ୍ୟାରିକେଡ୍ ନିର୍ମାଣ ହେବ ।
Powered by Froala Editor