ଗୁଲାବ: ରାତି ୯ଟା ପରେ କରିବ ଲ୍ୟାଣ୍ଡଫଲ
ଭୁବନେଶ୍ୱର:ବଙ୍ଗୋପସାଗର ଉପକୂଳକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଗୁଲାବ । ୮ଟା ୩୦ ସୁଦ୍ଧା ଗୋପାଳପୁର ଠାରୁ ୧୮୦ କିମି ଦୂରରେ ଗୁଲାବ ରହିଛି । ଆନ୍ଧ୍ର କଳିଙ୍ଗପଟ୍ଟନମ ଠାରୁ ୨୮୦ କିମି ଦୂରରେ ଗୁଲାବ ରହିଛି । ଗତ ୬ଘଣ୍ଟାରେ ଗୁଲାବର ବେଗ ରହିଛି ଘଣ୍ଟା ପ୍ରତି ୧୭ କିଲୋମିଟର । ରାତି ପ୍ରାୟ ୯ଟା ପରେ ଗୋପାଳପୁର ଓ କଳିଙ୍ଗପଟ୍ଟନମ ମଝିରେ ଲ୍ୟାଣ୍ଡଫଲ କରିବ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।
ତାଙ୍କ ସୂଚନା ଅନୁଯାୟୀ ଲ୍ୟାଣ୍ଡଫଲ ପ୍ରକି୍ରୟା ପ୍ରାୟ ୩ଘଣ୍ଟା ପର୍ଯ୍ୟନ୍ତ ରହିବ । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବେଶି ପ୍ରଭାବ ପଡ଼ିବା ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୭୫ରୁ ୮୫ କିମି ରହିବ । ଭୁବନେଶ୍ୱରରେ ମଧ୍ୟ ଦିନ ତମାମ ବର୍ଷା ଲାଗି ରହିବ । ଆଜି ଆଉଟର ବେଲ୍ଟ ଉପକୂଳ ଓଡ଼ିଶାରେ ବି ବର୍ଷା ହେବ ।
ତେବେ ଗଞ୍ଜାମର ଗୋପାଳପୁରଠାରୁ ୨୭୦ କିମି ଦୂରରେ ଏହି ବାତ୍ୟା କେନ୍ଦ୍ରୀଭୂତ ହେବ । ଏନେଇ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୭୫ରୁ ୯୫ କିମି ରହିବା ନେଇ ଆଶଙ୍କା କରାଯାଉଛି ଏବଂ ଏହାର ପ୍ରଭାବରେ ୭ ଜିଲ୍ଲା ଯଥା-ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି ।ଦୁଇ ଦିନ ଧରି ଏହି ବର୍ଷା ଜାରି ରହିବ । ଏଥିପାଇଁ ୭ ଜିଲ୍ଲାରେ ୪୨ଟି ଓଡ୍ରାଫ ଓ ୨୪ଟି NDRF ଟିମ ମୁତୟନ କରାଯାଇଛି । ଏପଟେ ଋଷିକୂଲ୍ୟା ଓ ନାଗାବଳୀ ନଦୀରେ ବନ୍ୟା ଆସିବା ଆଶଙ୍କା କରାଯାଉଛି । ଏହାସହ ଗଜପତି, ରାୟଗଡ଼ା ଜିଲ୍ଲାରେ ଭୂସ୍ଖଳନ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।
Powered by Froala Editor