ରାଜ୍ୟରେ କେବେ ଖୋଲିବ ସ୍କୁଲ?
ଭୁବନେଶ୍ୱର: ମହାରାଷ୍ଟ୍ରରେ ଆସନ୍ତା ଅକ୍ଟୋବର ୪ ରୁ ସ୍କୁଲ ଖୋଲିବ । ପଞ୍ଚମରୁ ଦଶମ ଶ୍ରେଣୀଯାଏ ପିଲାଙ୍କ ପାଠପଢ଼ା ହେବ । ଏପଟେ ଆମ ରାଜ୍ୟରେ ଏ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ତେବେ ପୂଜା ପରେ ସବୁ ପିଲାଙ୍କ ସ୍କୁଲ ଖୋଲିପାରେ । ଏଥିପାଇଁ ବିଭିନ୍ନ ସ୍ତରରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ରାଜ୍ୟରେ ବର୍ତ୍ତମାନ କରୋନା ଗ୍ରାଫ ତଳ ମୁହାଁ ହୋଇଛି । ଏବେ ୫୦୦ ରୁ ୬୦୦ ଭିତରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅନ୍ୟ ପକ୍ଷରେ ମହାରାଷ୍ଟ୍ରରେ ବର୍ତ୍ତମାନ ପାଖାପାଖି ୩୦୦୦ ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତଥାପି ପିଲାଙ୍କ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇ ସେଠାରେ ଆସନ୍ତା ୪ ରୁ ସ୍କୁଲ ଖୋଲିବାକୁ ଘୋଷଣା ହୋଇଛି । କିନ୍ତୁ ଆମ ରାଜ୍ୟରେ କରୋନା ସଂକ୍ରମିତ ମହାରାଷ୍ଟ୍ରଠୁ କମ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପ୍ରାଥମିକ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିବାକୁ କୌଣସି ନିଷ୍ପତ୍ତି ହୋଇନାହିଁ । ଗତ ଜୁଲାଇ ମାସରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିଥିଲା । ଏହା ପରେ ଅଗଷ୍ଟରେ ନବମ ଶ୍ରେଣୀ ପାଠପଢ଼ା ହୋଇଥିଲା । ଧୀରେ ଧୀରେ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡ଼ିକର କ୍ଲାସ ମଧ୍ୟ ଆରମ୍ଭ ହୋଇଯାଇଛି ।
Powered by Froala Editor