ମହାମାରୀରେ ଚାହିଦା ମେଣ୍ଟାଇବାକୁ ଅଭିନବ ପ୍ରୟାସ: ଟ୍ୟାକ୍ସି ଉପରେ ପରିବା ବଗିଚା

ଟ୍ୟାକ୍ସି ଉପରେ ନିଆରା ପରିବା ବଗିଚା । ଏମିତି ବଗିଚା ଦେଖିଲେ ଯେ କେହିବି ଖୁସି ହୋଇଯିବ । ତେବେ ଏ ପରିକଳ୍ପନା କୌଣସି ଖୁସିରେ କରାଯାଇନି । ବରଂ କରୋନା ମହାମାରୀ ବେଳେ ନିଜର ଚାହିଦା ପୂରଣ କରିବାକୁ ଥାଇଲାଣ୍ଡର କିଛି ଟ୍ୟାକ୍ସି ଚାଳକ ଏଭଳି ଅଭିନବ ଉପାୟ ଆପଣାଇଛନ୍ତି ।
ସାରା ବିଶ୍ୱକୁ କରୋନା ମହାମାରୀ କବଳିତ କରି ରଖିଥିବାବେଳେ ଅନେକ ଲୋକ କାମଧନ୍ଦା ହରାଇଛନ୍ତି। ବିଶେଷକରି ପର୍ଯ୍ୟଟନ ସହିତ ସଂପୃକ୍ତ ଲୋକମାନେ ଅତି ଦୟନୀୟ ଜୀବନ ଯାପନ କରୁଛନ୍ତି। ହୋଟେଲ, ରେଷ୍ଟୁରାଣ୍ଟ ଆଦି ବନ୍ଦ ରହିବା ସହିତ ଗାଡିମଟରଗୁଡିକ ରାସ୍ତା କଡରେ ଛିଡା ହୋଇରହିଥିଲା। ଏଭଳି ଏକ ଜଟିଳ ସମୟକୁ ସଦୁପଯୋଗ କରିଛନ୍ତି ଥାଇଲାଣ୍ଡର ଟ୍ୟାକ୍ସିଚାଳକ। ସେମାନେ ଦୀର୍ଘଦିନ ଛିଡା ହୋଇ ରହିଥିବା ଟ୍ୟାକ୍ସିଗୁଡିକର ଛାତ ଉପରେ ଛୋଟ ଛୋଟ ପନିପରିବା ବଗିଚା ସୃଷ୍ଟି କରିଛନ୍ତି। କଳା ରଙ୍ଗର ପ୍ଲାଷ୍ଟିକ ଥଳିକୁ ବାଉଁଶର ଫ୍ରେମ ମଧ୍ୟରେ ରଖି ସେଥିରେ ମାଟି ଭର୍ତ୍ତି କରିଛନ୍ତି। ତାହାପରେ ସେଥିରେ ସେମାନେ ବିଲାତି ବାଇଗଣ, କାକୁଡି, ବିନ ଆଦି ପନିପରିବା ଲଗାଇଛନ୍ତି। ଟ୍ୟାକ୍ସିଗୁଡିକ ଏକତ୍ର ପାର୍କି କରାଯାଇଥିବାବେଳେ ଉପରୁ ତାହା ଟ୍ୟାକ୍ସି ପାର୍କିଂ ପରିବର୍ତ୍ତେ ଏକ ଛୋଟ ବଗିଚା ଭଳି ମନେହେଉଛି।
ସୂଚନାଯୋଗ୍ୟ ଯେ, ବ୍ୟାଙ୍କକର ରାଚାପ୍ରୁକ ଏବଂ ବୋଭର୍ନ ଟାକ୍ସି ସମବାୟ ସଂସ୍ଥା ନିକଟରେ ସଂପ୍ରତି ୫୦୦ କାର ରହିଛି। ତାହାସହିତ ସହରର ଅନ୍ୟାନ୍ୟ ସ୍ଥାନରେ ଆଉ ପ୍ରାୟ ୨୫୦୦ କାର୍ ପାର୍କିଂ କରାଯାଇଛି। ଏଥିରେ ଯାହାକିଛି ପନିପରିବା ଫଳୁଛି ତାହା ସେମାନଙ୍କ ଘରେ ବ୍ୟବହାର ହେଉଛି।
Powered by Froala Editor