ଛତିଶଗଡ଼ର ପୂର୍ବତନ ପରିବହନ ମନ୍ତ୍ରୀ ରାଜିନ୍ଦରପାଲ୍ ସିଂହ ଭାଟିଆଙ୍କ ଆତ୍ମହତ୍ୟା

ବିଜେପିର ବରିଷ୍ଠ ନେତା ଓ ଛତିଶଗଡ଼ର ପୂର୍ବତନ ପରିବହନ ମନ୍ତ୍ରୀ ରାଜିନ୍ଦରପାଲ୍ ସିଂହ ଭାଟିଆ ଆତ୍ମହତ୍ୟା କରିଛନ୍ତି। ରାଜିନ୍ଦରପାଲ୍ ସିଂହ ରବିବାର ସନ୍ଧ୍ୟା ୭ଟା ବେଳେ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ସେ କାହିଁକି ଆତ୍ମହତ୍ୟା କଲେ, ତା'ର କାରଣ ଜଣାପଡ଼ିନାହିଁ। ଛୁରିଆ ଥାନା କ୍ଷେତ୍ରରେ ଏ ସମସ୍ତ ମାମଲା ହୋଇଥିବା ବେଳେ ପୋଲିସ ତଦନ୍ତ ଚଳାଇଛି। ପୂର୍ବତନ ମନ୍ତ୍ରୀଙ୍କ ଘରକୁ ପୋଲିସ ସିଲ୍ କରିଛି।
ଭାଟିଆ କରୋନାର ଦ୍ବିତୀୟ ଲହରରେ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତାପରଠୁ ନିଜର ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ସେ ଚିନ୍ତାରେ ରହୁଥିଲେ ବୋଲି କୁହାଯାଉଛି। ତାଙ୍କର ଜଣେ ପୁଅ ଲକି ଭାଟିଆ ଅଛନ୍ତି। ରାଜିନ୍ଦରଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇସାରିଥିଲା। କିଛି ଦିନ ପୂର୍ବରୁ ତାଙ୍କର ଏକମାତ୍ର ଭାଇଙ୍କ ପରଲୋକ ହୋଇଥିଲା।
ଭାଟିଆ ଥରେ ଅବିଭାଜିତ ମଧ୍ୟପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ଗଠନ ପରେ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଭାଟିଆ ପରିବହନ ମନ୍ତ୍ରୀ ଓ CSIDCର ଚେୟାରମ୍ୟାନ୍ ପଦ ସମ୍ଭାଳିଥିଲେ। ୨୦୧୩ ବିଧାନସଭା ନିର୍ବାଚନରେ ତାଙ୍କୁ ବିଜେପି ପକ୍ଷରୁ ଟିକେଟ୍ ଦିଆଯାଇନଥିଲା। ଯାହା ପରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ସେତେବେଳେ କଂଗ୍ରେସର ଭୋଳାରାମ ସାହୁ ବିଧାୟକ ନିର୍ବାଚିତ ହୋଇଥିଲେ। ସେହି ନିର୍ବାଚନରେ ସ୍ୱାଧୀନ ଭାବେ ଲଢ଼ିଥିବା ଭାଟିଆ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବିଜେପିର ବିଜୟ ସାହୁ ତୃତୀୟ ସ୍ଥାନରେ ରହିଥିଲେ।
Powered by Froala Editor