ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ, ଟିଏମ୍ସିରେ ମିଶିଲେ ବାବୁଲ ସୁପ୍ରିୟୋ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବାବୁଲ ସୁପ୍ରିୟୋ ଆଜି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଓ ଡେରେକ ଓବ୍ରାୟନଙ୍କ ଉପସ୍ଥିତିରେ ସେ ଟିଏମସିରେ ସାମିଲ ହୋଇଛନ୍ତି। ଟିଏମ୍ସିରେ ଯୋଗ ଦେବା ପରେ ବାବୁଲ କହିଛନ୍ତି, ମମତା ବାନାର୍ଜୀଙ୍କ ଉପରେ ପଶ୍ଚିମବଙ୍ଗବାସୀଙ୍କ ସମ୍ପୂର୍ଣ୍ଣ ଭରସା ରହିଛି। ମୁଁ ଲୋକଙ୍କ ସେବା କରିବା ପାଇଁ ଟିଏମ୍ସି ସହ ଯୋଡି ହୋଇଛି। ନିଷ୍ପତ୍ତି ବଦଳାଇଥିବା ଲାଗି ମୁଁ ମୋ ନିଜ ଉପରେ ଗର୍ବ ଅନୁଭବ କରୁଛି।
ନିକଟରେ ବିଜେପିରୁ ଇସ୍ତଫା ଦେବା ସହିତ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ। ଆଉ କୌଣସି ଦଳକୁ ଯିବେ ନାହିଁ ବୋଲି ମଧ୍ୟ କହିଥିଲେ। ଏବେ ଟିଏମସିରେ ଯୋଗ ଦେବା ଫଳରେ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇଉଠିଛି। କେନ୍ଦ୍ରରୁ ମନ୍ତ୍ରୀ ପଦ ଚାଲିଯିବା ପରେ ଅସନ୍ତୁଷ୍ଟ ହୋଇ ବାବୁଲ ବିଜେପି ଛାଡିଥିବା ଯେଉଁ ଆଲୋଚନା ହେଉଥିଲା, ତାହା ଏବେ ସତ ପ୍ରମାଣିତ ହୋଇଛି।
ସୂଚନା ଥାଉକି, ପଶ୍ଚିମବଙ୍ଗର ଆସନସୋଲରୁ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ବାବୁଲ ସୁପ୍ରିୟୋ। ଚଳିତ ବର୍ଷ ସେ ମଧ୍ୟ ପଶ୍ଚିମବଙ୍ଗ ବିଧାନସଭା ପାଇଁ ନିର୍ବାଚନ ଲଢିଥିଲେ, କିନ୍ତୁ ତାଙ୍କୁ ପରାଜୟ ସ୍ଵୀକାର କରିବାକୁ ପଡ଼ିଥିଲା।
Powered by Froala Editor