ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ପଞ୍ଜାବ କଂଗ୍ରେସରେ ଚାଲିଥିବା କଳି ଦିନକୁ ଦିନ ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପ୍ଟେନ ଅମରିନ୍ଦର ସିଂହ। ସେ ଆଜି ରାଜ୍ୟପାଳ ବନୱାରୀ ଲାଲ ପୁରୋହିତଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହାପରେ ରାଜଭବନ ବାହାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ନିଜ ସମର୍ଥକମାନଙ୍କ ସହ ଆଲୋଚନା ପରେ ସେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନେବେ ।
ସେ କହିଛନ୍ତି ଯେ “ମୁଁ ଇସ୍ତଫା ସମ୍ପର୍କରେ ସକାଳୁ ସୋନିଆ ଗାନ୍ଧିଙ୍କୁ ଜଣାଇ ସାରିଛି। କାରଣ ମୋ ଅଗୋଚରରେ ଗତ ୨ ମାସରେ ୩ ଥର କଂଗ୍ରେସ ବିଧାୟକ ଦଳ ବୈଠକ ଡକାଯାଇଛି । ଏହା ଦ୍ବାରା ମୁଁ ଅପମାନିତ ଅନୁଭବ କରୁଛି । ତେଣୁ ସୋନିଆ ଗାନ୍ଧିଙ୍କୁ ଜଣାଇଥିଲି। ଏଥିସହ ଏପରି କାର୍ଯ୍ୟ ଜାରି ରହିଲେ ଇସ୍ତଫା ଦେଇଦେବି ବୋଲି କହିଥିଲି। ଏବେ ସେମାନେ ଯାହାକୁ ଇଚ୍ଛା ତାଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତୁ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ କଂଗ୍ରେସ ସହ ରହିଛି। ସମର୍ଥକଙ୍କ ମତାମତ ଓ ସମୟ ଆସିଲେ ମୁଁ ବିକଳ୍ପ କଥା ଚିନ୍ତା କରିବି ବୋଲି ସେ କହିଛନ୍ତି।”
ଅନେକ ମାସ ହେଲାଣି ପଞ୍ଜାବ କଂଗ୍ରେସରେ କନ୍ଦଳ ଲାଗି ରହିଥିଲା। ସିଦ୍ଧୁ ଓ କ୍ୟାପ୍ଟେନ୍ଙ୍କ ମଧ୍ୟରେ ଖୋଲାଖୋଲି କ୍ଷମତା ଯୁଦ୍ଧ ଚାଲିଥିଲା। ଅନେକ ଭାବୁଥିଲେ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ହେବା ପରେ ସବୁ ଠିକ୍ ହୋଇଯିବ। କିନ୍ତୁ ସେମିତି କିଛି ହେଲା ନାହିଁ। ବରଂ କନ୍ଦଳ ଆହୁରି ବଢ଼ିଛି। ବିଧାୟକଙ୍କ ଏକ ଗୋଷ୍ଠୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଜିଦ୍ ଧରି ବସିଥିଲେ।
Powered by Froala Editor