ହୃଦୟ ବିଦାରକ: ପରିବାରର ୪ ଜଣଙ୍କ ଆତ୍ମହତ୍ୟା, ଭୋକରେ ଆଖିି ବୁଜିଲା ୯ ମାସର ଶିଶୁ
ବେଙ୍ଗାଲୁରୁରେ ଘଟିଛି ହୃଦୟ ବିଦାରକ ଘଟଣା । ଗୋଟିଏ ପରିବାରର ୪ ଜଣ ଆତ୍ମହତ୍ୟା କରିଥିବାବେଳେ ୯ ମାସର ଶିଶୁଟି ଭୋକ ଉପାସରେ ପ୍ରାଣ ହରାଇଛି । ସୌଭାଗ୍ୟବଶତଃ ୨ ବର୍ଷର ଶିଶୁକନ୍ୟାକୁ ଜୀବିତ ଉଦ୍ଧାର କରାଯାଇଛି ।
ଶୁକ୍ରବାର ରାତିରେ ବ୍ୟାଦାରହଲ୍ଲୀ ପୋଲିସ ଷ୍ଟେସନ ନିକଟରେ ଥିବା ଏକ ଘରୁ ପାଞ୍ଚଟି ମୃତଦେହ ଜବତ କରାଯାଇଥିଲା ଯେଉଁଠାରୁ ପୋଲିସ ୨ ବର୍ଷର ଶିଶୁ କନ୍ୟା ପ୍ରେକ୍ଷାକୁ ଉଦ୍ଧାର କରିଥିଲା। ତେବେ ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଘରର ମୁଖ୍ୟ ଘରକୁ ଫେରିଥିଲେ। ସେ ୫ ଦିନ ପୂର୍ବେ ତାଙ୍କ ଝିଅ ସହ ପାଟିତୁଣ୍ଡ କରି ଘର ଛାଡ଼ି ପଳାଇଥିଲେ। ପରେ ସେ ପରିବାର ଲୋକଙ୍କୁ ସେ ଫୋନ୍ କରି ଥିଲେ। କିନ୍ତୁ କେହି ଫୋନ୍ ଉଠାଇ ନଥିଲେ।
ତା'ପରେ ସେ ଘରକୁ ଫେରି ଦେଖିବାରୁ ତାଙ୍କ ପତ୍ନୀ (୫୦ ବର୍ଷ), ପୁଅ (୨୭ ବର୍ଷ) ଓ ଦୁଇ ଝିଅଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ। ତାଙ୍କର ୯ ମାସର ନାତି ଭୋକରେ ମରି ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ କେବଳ ୨ ବର୍ଷର ନାତୁଣୀ ଜୀବିତ ଥିବା ଜଣାପଡ଼ିଥିଲା। ୨ ବର୍ଷର ଶିଶୁ କନ୍ୟାକୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଯାଇଛି। ସୂଚନା ଅନୁଯାୟୀ, ୪ଟି ଯାକ ମୃତଦେହ ପଚିବା ଆରମ୍ଭ କରିଥିଲାଣି। ଶବ ଗୁଡ଼ିକର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜାଣି ହେବ।
Powered by Froala Editor