ଓୟୁଏଟିରେ କନିଷ୍ଠ ଛାତ୍ରଙ୍କୁ ବରିଷ୍ଠ ଛାତ୍ରଙ୍କ ରାଗିଂ ଅଭିଯୋଗ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଚିପିଲିମା ଓୟୁଏଟିରେ କନିଷ୍ଠ ଛାତ୍ରଙ୍କୁ ବରିଷ୍ଠ ଛାତ୍ରଙ୍କ ରାଗିଂ ଅଭିଯୋଗ ଆସିଛି । ତେବେ, ସଂପୃକ୍ତ ଛାତ୍ରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଓୟୁଏଟି ଡିନ୍ ନିଜେ ମାଡ଼ପିଟ କରିଛନ୍ତି । ଡିନ୍ ନିଜେ ମଧ୍ୟ ଏକଥା ସ୍ୱୀକାର କରିଥିବା ବେଳେ ଛାତ୍ରଛାତ୍ରୀମାନେ ଏହାର ପ୍ରତିବାଦରେ ଆନେ୍ଦାଳନକୁ ଓହ୍ଲାଇଛନ୍ତି । ଆନେ୍ଦାଳନରତ ଛାତ୍ରଛାତ୍ରୀଙ୍କ ଅଭିଯୋଗ ହେଲା, ଗତକାଲି ଅପରାହ୍ନ ସାଢେ଼ ୫ଟା ସମୟରେ ଓୟୁଏଟି ପରିସରରେ କେତେକ ଛାତ୍ରଛାତ୍ରୀ ଗୁରୁଦିବସ ପାଳନ ପାଇଁ ଆଲୋଚନା କରୁଥିଲେ । ଏହି ସମୟରେ ଡିନଙ୍କ ଗାଡ଼ି ଆସି ସେମାନଙ୍କ ପାଖରେ ଅଟକି ଥିଲା । ଡିନ ନିଜ କାରରୁ ଓହ୍ଲାଇ ପଡ଼ି ଛିଡ଼ା ହୋଇଥିବା ୬-୭ ଜଣ ଛାତ୍ରଙ୍କୁ ଆଖିବୁଜା ପିଟି ଥିଲେ । ‘ଓୟୁଏଟିରେ ରାଗିଂ ହେବାକୁ ଦେବେ ନାହିଁ । ଶିକ୍ଷାନୁଷ୍ଠାନ ବଦନାମ ହେବ’ ବୋଲି କହି ପିଟିଥିଲେ । ଛାତ୍ରୀମାନଙ୍କ ବି ‘ଚୋପା ଛଡ଼ାଇଦେବି’ ବୋଲି କହିଥିଲେ । ମାଡ଼ରେ କେତେକ ଛାତ୍ରଙ୍କ ହାତ ଫୁଲି ଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଛାତ୍ରଛାତ୍ରୀମାନେ ଆନେ୍ଦାଳନକୁ ଓହ୍ଲାଇଥିଲେ । ଏହି ଘଟଣା ପାଇଁ ସେମାନେ ଡିନ ଲିଖିତ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଥିଲେ । ଡିନ ଛାତ୍ରଛାତ୍ରୀଙ୍କୁ ଭୁଲ ମାଗିବା ସହିତ ଅନ୍ୟ ଦାବି ଗୁଡ଼ିକ ପୂରଣ କରିବା ପାଇଁ ବି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେବା ପରେ ରାତି ସାଢେ଼ ୯ଟାରେ ଆନେ୍ଦାଳନ ପ୍ରତ୍ୟାହର ହୋଇଥିଲା । ଏ ସଂକ୍ରାନ୍ତରେ ଡିନ ଡ. ରବି ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଲେ, ପ୍ରଥମ ବର୍ଷ ଛାତ୍ରଙ୍କ ନାମଲେଖା ଏପର୍ଯ୍ୟନ୍ତ ହୋଇନାହିଁ । କରୋନା ଯୋଗୁଁ ଗତ ବର୍ଷ କଲେଜ ବନ୍ଦ ରହିଥିଲା । କଲେଜ ଖୋଲିବା ପରେ ଗତ ଶିକ୍ଷାବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ (ବର୍ତ୍ତମାନ ଦ୍ୱିତୀୟ ବର୍ଷ) ଏବେ ଆସିଛନ୍ତି । ବରିଷ୍ଠ ଛାତ୍ରଛାତ୍ରୀମାନେ ନୂଆ ପୋଷାକ, ଯୋତା ଆଦି ପିନ୍ଧି ଆସିବା ପାଇଁ କହିବା ସହିତ ବିଭିନ୍ନ ପ୍ରକାର ରାଗିଂ କରୁଛନ୍ତି । କେତେକ ଅଭିଭାବକ ଏ ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି । ରାଗିଂ ହେଲେ ଶିକ୍ଷାନୁଷ୍ଠାନ ବଦନାମ ହେବ । ତେଣୁ ଗତକାଲି ତାଗିଦ କରିବା ଢଂଗରେ ୨-୩ ଜଣ ଛାତ୍ରଙ୍କୁ ପିଟିଥିଲେ ବୋଲି ସେ କହିଛନ୍ତି । ଯେହେତୁ ଛାତ୍ରଛାତ୍ରୀମାନେ ଦାବି କରୁଛନ୍ତି ‘ଏକ ପରିବାରର ବାପା’ ସଦୃଶ ପିଲାମାନଙ୍କଠାରେ ଭୁଲ ମାଗିଛି ବୋଲି ଡ. ପଟ୍ଟନାୟକ କହିଛନ୍ତି ।
Powered by Froala Editor