ପିପିଲି ଉପନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ
ଭୁବନେଶ୍ୱର: ସ୍ଥଗିତ ଥିବା ବହୁ ପ୍ରତୀକ୍ଷିତ ପିପିଲି ଉପନିର୍ବାଚନର ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ଏହି ଘୋଷଣା ଅନୁଯାୟୀ ସେପ୍ଟେମ୍ବର ୩୦ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୩ ତାରିଖରେ ଭୋଟ ଗଣତି କରାଯିବ । ଏହା ସହିତ ପଶ୍ଚିମବଙ୍ଗର ତିନିଟି ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେବ । ସୂଚନା ଯୋଗ୍ୟ ଯେ ବିଧାୟକ ପ୍ରଦୀପ ମହାରଥିଙ୍କ ମୃତୁ୍ୟ ପରେ ଏପ୍ରିଲ ୧୬ରେ ହେବାକୁ ଥିବା ଉପନିର୍ବାଚନ କୋଭିଡ ମାହାମାରୀ ପାଇଁ ଘୁଞ୍ଚି ମେ ୧୬ କୁ ସ୍ଥିର କରାଯାଇଥିଲା କିନ୍ତୁ କଂଗ୍ରେସ ପାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ପାଇଁ ପୁନର୍ବାର ନିର୍ବାଚନ ସ୍ଥଗିତ ଥିଲା । ତେବେ ବର୍ତ୍ତମାନ ଏହି ଉପନିର୍ବାଚନ କରାଯିବ ବୋଲି ସ୍ଥିର କରାଯାଇଛି । ଏହାର ସମସ୍ତ ପ୍ରକ୍ରିୟା ସେପ୍ଟମ୍ବର ୨୦ରୁ ଆରମ୍ଭ ହୋଇ ଅକ୍ଟୋବର ୫ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ସମସ୍ତ କୋଭିଡ କଟକଣଶକୁ ଦୃଷ୍ଟିରେ ରଖି ଉପନିର୍ବାଚନ କରାଯିବ ବୋଲି କୁହାଯାଇଛି । ନିର୍ବାଚନ ଆଚରଣବିଧି ଅନୁସାରେ ସେପ୍ଟେମ୍ବର ୨୦ ତାରିଖରୁ ପ୍ରଚାର ପାଇଁ ଅନୁମତି ମିଳିବ ଓ ସମସ୍ତ ପ୍ରକାର କୋଭିଡ ଗାଇଡଲାଇନ ମାନି କ୍ୟାମ୍ପେନିଙ୍ଗ କରି ପାରିବେ । ଡୋର ଟୁ ଡୋର କ୍ୟାମ୍ପେନରେ ପାର୍ଥୀଙ୍କ ସହ କେବଳ ୫ଜଣ ରହିପାରିବେ । ଏହା ସହିତ ରୋଡ ସୋ, ବାଇକ ଓ ସାଇକେଲ ରାଲି କୁ ମଧ୍ୟ ବାରଣ କରାଯିବା ସହିତ ମତଦାନର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରାଯିବ ବୋଲି କୁହାଯାଇଛି ।
Powered by Froala Editor