ସୌମ୍ୟଙ୍କ ଘରକୁ ରାତିରେ ଯାଉଥିଲେ ଡିଏଫଓ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ମହାପାତ୍ରଙ୍କ ମୃତୁ୍ୟ ମାମଲା ଏବେ ଦିନକୁ ଦିନ ଅଡ଼ୁଆ ସୂତାରେ ଛନ୍ଦି ହେବାରେ ଲାଗିଛି । ପ୍ରଥମେ ପୁଲିସ ଓ ଏବେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଭାର ନେଇଥିବା ହେଁ ଘଟଣା ଉପରେ ପରଦା ହଟାଇବାରେ ସଫଳ ହୋଇନାହିଁ । ତେବେ ଏହାରି ଭିତରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି । ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ପୂର୍ବତନ ରାତ୍ରୀ ଜଗୁଆଳି ଏକ ବଡ଼ ବୟାନ ଦେଇଛନ୍ତି । ଡିଏଫଓ ଶ୍ରୀ ବେହେରା ରାତିରେ ସୌମ୍ୟ ସାରଙ୍କ ଘରକୁ ଯିବାର ମୁଁ ଦେଖିଛି ବୋଲି ସେ କହିଛନ୍ତି । ଥରେ ରାତି ୧୨ରୁ ସାଢେ ୧୨ ଭିତରେ ଡିଏଫଓ ଯିବାର ମୁଁ ନିଜେ ଦେଖିଛି ବୋଲି ସେ କହିଛନ୍ତି । ତେବେ ଏହା ଦେଖିଦେବାରୁ ତାଙ୍କୁ ଡିଏଫଓ ଛଟେଇ କରିଦେଇଥିବା ସମ୍ପୃକ୍ତ ପୂର୍ବତନ ଜଗୁଆଳି କହିଛନ୍ତି ।
ସୂଚନାଯୋଗ୍ୟ, ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାକୁ ପ୍ରଥମେ ପୁଲିସ୍ ତଦନ୍ତ କରୁଥିବା ବେଳେ ପୁଲିସ୍ର ତଦନ୍ତ ପ୍ରକ୍ରିୟାକୁ ନେଇ ସୌମ୍ୟଙ୍କ ପରିବାର ଲୋକେ ସନ୍ଦେହ ପ୍ରକଟ କରିଥିଲେ। ଏପରିକି ଆତ୍ମାହୂତି ଦେବେ ବୋଲି ଧମକ ଦେଇଥିଲେ। ଏହା ପରେ ଡିଜିପି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ଗତମାସ ୧୪ ତାରିଖରେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ ଆରମ୍ଭ କରିଥିଲା। ପ୍ରଥମ ପର୍ୟ୍ୟାୟରେ କ୍ରାଇମବ୍ରାଞ୍ଚ ରୋଷେୟା, ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ଘନ ଘନ ଜେରା କରିଥିଲା। ଏହା ପରେ ଚୁପ୍ ବସି ଯାଇଥିଲା। ଏବେ ପୁଣି ଥରେ କ୍ରାଇମବ୍ରାଞ୍ଚ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ତାହାର ତଦନ୍ତ ଉପରେ ସମ୍ପୂର୍ଣ୍ଣ ଆସ୍ଥା ପ୍ରକଟ କରିପାରୁ ନାହାନ୍ତି ସୌମ୍ୟଙ୍କ ବାପା। ପୁଅ ଯିବାର ୫୦ ଦିନ ପରେ ବି ହାତ ଖାଲି। କ୍ରାଇମବ୍ରାଞ୍ଚ ଉପରେ ସମ୍ପୂର୍ଣ୍ଣ ଭରସା ପାଉନି ବୋଲି ସେ ଗଣମାଧ୍ୟମକୁ କହିଥିଲେ।
Powered by Froala Editor