ଜେଲ୍ ଗଲେ ୨ ଅବସରପ୍ରାପ୍ତ ସରକାରୀ ଅଧିକାରୀ
ଭୁବନେଶ୍ବର: ଅବସର ପରେ ପେନସନ ପାଇ ଆରାମରେ ଜୀବନ ବିତାଇବା ପରିବର୍ତ୍ତେ ଏବେ ଯିବାକୁ ପଡିଛି ଜେଲ୍ ଆଉ ଦବାକୁ ପଡିଛି ଜରିମାନା । ଏପରିକି ପେନସନ ବନ୍ଦ ପାଇଁ ମଧ୍ୟ ସୁପାରିଶ କରିଛି ଭିଜିଲାନ୍ସ ବିଭାଗ । ଏହି ୨ ଅଭିଯୁକ୍ତ ହେଲେ ସମ୍ବଲପୁର ଜିଲା ଜୁଜୁମରା ସିଡିପିଓ ଅଫିସ୍ର ପୂର୍ବତନ ଜୁନିୟର କ୍ଲର୍କ ଲୋକନାଥ ପଣ୍ଡା ଏବଂ ଢେଙ୍କାନାଳ ଜିଲା ପରଜଙ୍ଗ ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ବ୍ରହ୍ମାନନ୍ଦ ନାୟକ ।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଅଭିଯୁକ୍ତ ଲୋକନାଥ ପଣ୍ଡା ଜୁଜୁମରା ସିଡିପିଓ ଅଫିସ୍ରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଥିବା ବେଳେ ଅଙ୍ଗନବାଡି ଶିଶୁମାନଙ୍କ ପୌଷ୍ଟିକ ବିକାଶ ପାଇଁ ଆସିଥିବା ୮୭୨.୩୬ କୁଇଣ୍ଟାଲ ଚାଉଳ ଆତ୍ମସାତ କରିଦେଇଥିଲେ । ଏବେ ଶ୍ରୀ ପଣ୍ଡା ଅବସର ଗ୍ରହଣ କରିସାରିଛନ୍ତି । ଅଭିଯୋଗ ମିଳିବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯିବା ସହ ଏ ନେଇ ଶ୍ରୀ ପଣ୍ଡାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାର ଶୁଣାଣି କରି ସମ୍ବଲପୁର ଭିଜିଲାନ୍ସ ବିଭାଗର ମାନ୍ୟବର ସ୍ୱତନ୍ତ୍ର ବିଚାରପତି ଅଭିଯୁକ୍ତ ଶ୍ରୀ ପଣ୍ଡାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଭିଜିଲାନ୍ସ ବିଭାଗ ପକ୍ଷରୁ ଶ୍ରୀ ପଣ୍ଡାଙ୍କ ପେନସନ ବନ୍ଦ କରିବାକୁ ଲିଖିତ ଭାବେ ଅନୁରୋଧ କରାଯାଇଛି ।
ଅନୁରୂପ ଭାବେ ନିଜ ଚାକିରି ସମୟରେ ଢେଙ୍କାନାଳ ଜିଲା ପରଜଙ୍ଗ ସେବା ସମବାୟ ସମିତି ସମ୍ପାଦକ ବ୍ରହ୍ମାନନ୍ଦ ନାୟକ ଜଣେ ବ୍ୟକ୍ତିଙ୍କଠୁ ଲାଞ୍ଚ ନେଇ ଧରାପଡିଥିଲେ । ଏ ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ନାଁରେ ଏକ ମାମଲା ରୁଜୁ କରାଯାଇଥିଲା । ଢେଙ୍କାନାଳ ଭିଜିଲାନ୍ସ ବିଭାଗ ମାନ୍ୟବର ସ୍ୱତନ୍ତ୍ର ଜଜ୍ ଅଭିଯୁକ୍ତ ଶ୍ରୀ ନାୟକଙ୍କୁ ୧ ବର୍ଷ ଜେଲ୍ ଓ ଜରିମାନାରେ ଦଣ୍ଡିତ କରିଛନ୍ତି । ଶ୍ରୀ ନାୟକଙ୍କ ପେନସନ ବନ୍ଦ କରିବାକୁ ବିଭାଗକୁ ଅନୁରୋଧ କରାଯାଇଛି ।
Powered by Froala Editor