୨୦ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ, ବେଳାଭୂମି ପର୍ଯ୍ୟଟନ ବନ୍ଦ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅକଭାନ’ ନେଇ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ । ୧୯ ଓ ୨୦ ପାଇଁ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦ ପର୍ଯ୍ୟନ୍ତ ବେଳାଭୂମି ପର୍ଯ୍ୟଟନ ବନ୍ଦ ରଖାଯାଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସତର୍କ ସୂଚନାକୁ ଦୃଷ୍ଟିରେ ରଖି SRCଙ୍କ ପକ୍ଷରୁ ପର୍ଯ୍ୟଟନ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ଆସନ୍ତା ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବ । ପ୍ରବଳ ପବନ, ଭାରୀ ବର୍ଷା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ଜଳମଗ୍ନ ହେବାର ଆଶଙ୍କା ରହିଛି । ତେଣୁ ପର୍ଯ୍ୟଟକ, ପରିଦର୍ଶକ, ପର୍ଯ୍ୟଟନ କର୍ମଚାରୀ ଏବଂ ସାଧାରଣ ଜନତାଙ୍କ ସୁରକ୍ଷା ନିମନ୍ତେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ଜିଲ୍ଲାପାଳ, ପୁଲିସ ଏବଂ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସମସ୍ତ ପର୍ଯ୍ୟଟନ କର୍ତ୍ତୃପକ୍ଷ, ଟୁର ଅପରେଟର, ହୋଟେଲ ଓ ରିସର୍ଟଗୁଡ଼ିକୁ କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି । ସମ୍ବେଦନଶୀଳ ବେଳାଭୂମିରେ ପର୍ଯ୍ୟଟନ ସମେତ ସମୁଦ୍ର ସ୍ନାନ, ବୋଟିଂ, ୱାଟର ସ୍ପୋର୍ଟସ୍, ପ୍ଲେଜର କ୍ରୁଜ୍ ଏବଂ ଅନ୍ୟାନ୍ୟ ସାମୁଦ୍ରିକ ପର୍ଯ୍ୟଟନ କାର୍ଯ୍ୟକଳାପକୁ ପରିସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ ।ଅସୁରକ୍ଷିତ ବେଳାଭୂମି, ଜେଟି, ଉପକୂଳବର୍ତ୍ତୀ ଭ୍ୟୁଇଂ ପଏଣ୍ଟ ଏବଂ ଅନ୍ୟାନ୍ୟ ବିପଦସଙ୍କୁଳ ପର୍ଯ୍ୟଟନ ସ୍ଥଳୀକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ସହାୟତାରେ ବ୍ୟାରିକେଡ୍ ଓ ସତର୍କତା ସୂଚନା ଫଳକ ଲଗାଯିବାର ବ୍ୟବସ୍ଥା କରାଯିବ ।
ଉପକୂଳବର୍ତ୍ତୀ ଅଞ୍ଚଳର ସମସ୍ତ ହୋଟେଲ, ରିସର୍ଟ ଓ ଟୁର ଅପରେଟରମାନେ ଅତିଥିମାନଙ୍କୁ ସତର୍କ କରାଇବା ସହ ବାହାରକୁ ବୁଲିବା କାର୍ଯ୍ୟକ୍ରମ ବାତିଲ କରିବେ । ଏହା ସହ ସ୍ଥାନାନ୍ତର କିମ୍ବା ଆଶ୍ରୟସ୍ଥଳୀ ସମ୍ବନ୍ଧୀୟ ପ୍ରଶାସନିକ ନିର୍ଦ୍ଦେଶ ପାଳନ କରିବା ଏବଂ ଜରୁରୀକାଳୀନ ଯୋଗାଯୋଗ ନମ୍ବର ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ମାଧ୍ୟମ ଏବଂ ପର୍ଯ୍ୟଟନ ପ୍ରତିଷ୍ଠାନଗୁଡ଼ିକ ଜରିଆରେ ବିଭିନ୍ନ ଭାଷାରେ ସ୍ପଷ୍ଟ ସୁରକ୍ଷା ପରାମର୍ଶବଳୀ ପ୍ରଚାର କରାଯିବ । ଏହା ସହିତ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (DEOC) ଏବଂ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC) ସହ ନିରନ୍ତର ସମନ୍ୱୟ ରଖାଯିବ ।
Powered by Froala Editor