ସରକାରୀ କାର୍ୟ୍ୟାଳୟଗୁଡ଼ିକରେ ଉପହାର ବର୍ଜନ ନୀତିକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: ଦୀପାବଳି ତଥା ବିଭିନ୍ନ ପର୍ବପର୍ବାଣୀ ସମୟରେ ସରକାରୀ କାର୍ୟ୍ୟାଳୟଗୁଡ଼ିକରେ ଅନାବଶ୍ୟକ ଖର୍ଚ୍ଚ ଏବଂ ସ୍ୱଚ୍ଛତା ବଜାୟ ରଖିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ସରକାରୀ କାର୍ୟ୍ୟାଳୟ ଏବଂ ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକରେ ‘ନୋ ଗିଫ୍ଟ ପଲିସି’ ଅର୍ଥାତ୍ ଉପହାର ବର୍ଜନ ନୀତିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାର ଅର୍ଥ ହେଲା, କୌଣସି ମଧ୍ୟ ପର୍ବପର୍ବାଣୀ ଅବସରରେ ଉପହାର କିମ୍ବା ଏହା ସମ୍ପର୍କିତ ସାମଗ୍ରୀ କିଣିବା ପାଇଁ ସରକାରୀ ପାଣ୍ଠିରୁ କୌଣସି ଅର୍ଥ ଖର୍ଚ୍ଚ କରାଯାଇପାରିବ ନାହିଁ ।
ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର ନଭେମ୍ବର ୫ ତାରିଖରେ ଏହି ସଂକ୍ରାନ୍ତରେ ଏକ ଚିଠି ଜାରି କରିଛନ୍ତି । ସେ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଏବଂ ସଚିବମାନଙ୍କୁ ଏହି ନିୟମକୁ କାର୍ୟ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିୟମ କେବଳ ମନ୍ତ୍ରାଳୟ କିମ୍ବା ସଚିବାଳୟ ମଧ୍ୟରେ ସୀମିତ ରହିବ ନାହିଁ, ବରଂ ସମସ୍ତ ସରକାରୀ କାର୍ୟ୍ୟାଳୟ ଏବଂ ସରକାରୀ ଉଦ୍ୟୋଗଗୁଡ଼ିକ ପାଇଁ ମଧ୍ୟ ସମାନ ଭାବରେ ପ୍ରଯୁଜ୍ୟ ହେବ । ସରକାରୀ କାର୍ୟ୍ୟାଳୟଗୁଡ଼ିକରେ ଆର୍ଥିକ ଶୃଙ୍ଖଳା ବଜାୟ ରଖିବା ଏବଂ ସ୍ୱଚ୍ଛତା ଆଣିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଗତ ବର୍ଷ ଅର୍ଥାତ୍ ୨୦୨୫ ସେପ୍ଟେମ୍ବର ୧୯ ତାରିଖରେ ଏକ କାର୍ୟ୍ୟାଳୟ ସ୍ମାରକପତ୍ର ଜରିଆରେ ପର୍ବପର୍ବାଣୀ ସମୟରେ ସରକାରୀ ଅର୍ଥରେ ଉପହାର କିଣିବା ଉପରେ ରୋକ୍ ଲଗାଇଥିଲେ । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଧ୍ୟ ଗତବର୍ଷ ଏହି ନୀତି ଲାଗୁ କରିଥିଲେ ।
ଚଳିତ ବର୍ଷ ମଧ୍ୟ କେନ୍ଦ୍ର ସରକାରଙ୍କ ସେହି ନିର୍ଦ୍ଦେଶନାମାକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବାକୁ କୁହାଯାଇଛି । ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଏହି ନିୟମରେ କୌଣସି ପ୍ରକାର ବ୍ୟତିକ୍ରମ କିମ୍ବା କୋହଳ କରାଯିବ ନାହିଁ । ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରୀ ରାଜକୋଷରୁ ହେଉଥିବା ଅନାବଶ୍ୟକ ତଥା ଅତ୍ୟଧିକ ଖର୍ଚ୍ଚକୁ ନିୟନ୍ତ୍ରଣ କରିବା । ସରକାରଙ୍କ ଏହି କଡ଼ା ପଦକ୍ଷେପ ଦ୍ୱାରା ସରକାରୀ ସ୍ତରରେ ପର୍ବପର୍ବାଣୀ ନାଁରେ ହେଉଥିବା ଅଦରକାରୀ ଖର୍ଚ୍ଚକୁ ବନ୍ଦ କରାଯାଇପାରିବ ବୋଲି ଆଶା କରାଯାଉଛି ।
Powered by Froala Editor