୧୨୦ କୋଟିରୁ ଊର୍ଦ୍ଧ୍ୱ ଠକେଇ ଘଟଣାରେ ଛାନଭିନ ଆରମ୍ଭ, ଓଡ଼ିଶା ମୁଖ୍ୟଙ୍କ ଘରେ ED ରେଡ୍
ଭୁବନେଶ୍ୱର: ଶେୟାର ଟ୍ରେଡିଂ ଆଳରେ ଦେଶବ୍ୟାପୀ ୧୨୦ କୋଟିରୁ ଊର୍ଦ୍ଧ୍ୱ ଠକେଇ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅଧିକ ଛାନଭିନ ଆରମ୍ଭ କରିଛି । ବେଆଇନ ଅର୍ଥ କାରବାରକୁ କେନ୍ଦ୍ର କରି ଆଜି (ବୁଧବାର) ଓଡ଼ିଶାର କଟକ, ଭୁବନେଶ୍ୱର, ଅନୁଗୋଳ ଏବଂ ପଶ୍ଚିମବଙ୍ଗର କିଛି ସ୍ଥାନକୁ ମିଶାଇ ପ୍ରାୟ ୧୦ଟି ସ୍ଥାନରେ ED ଚଢ଼ାଉ କରିଛି । ଏକ ଘରୋଇ ଫାଇନାନ୍ସସିଆଲ ସର୍ଭିସେସ୍ କମ୍ପାନୀ ଲିଙ୍କରେ ଏହି ତନାଘନା ଆରମ୍ଭ ହୋଇଛି । ଉଦଳା କପ୍ତିପଦା ବିଶୋଳ ଗାଁରେ ଓଡ଼ିଶା ମୁଖ୍ୟଙ୍କ ଘରେ ED ରେଡ୍ କରୁଛି ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୩ ଜଣିଆ ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ଏଥିସହ ୨ ଜଣ ବ୍ୟାଙ୍କ ଅଧିକାରୀ ଓ ପୋଲିସ୍ ମଧ୍ୟ ସହଯୋଗ କରୁଛନ୍ତି । ତେବେ ଚଢ଼ାଉ ବେଳେ ଅର୍ଥ କାରବାର ସମ୍ବନ୍ଧୀୟ ବହୁ କାଗଜପତ୍ର ଜବତ କରାଯାଇଛି । ବହୁଗୁଣର ଲୋଭ ଦେଖାଇ ମୟୂରଭଞ୍ଜ, କଟକ, ଭୁବନେଶ୍ୱର, ଜଗତସିଂହପୁର ଜିଲ୍ଲାରୁ ଏହି କମ୍ପାନୀ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା । ତେବେ ଏନେଇ ଇଡି ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ ।
ଗତ ଜାନୁଆରୀ ୨ରେ ଏହି ଘଟଣାରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW) ପଶ୍ଚିମବଙ୍ଗରୁ ମୁଖ୍ୟ ଅଭିଯୁକ୍ତ ଅମିତ ମଣ୍ଡଳକୁ ଗିରଫ କରିଥିଲା । EOW ସୂଚନା ଦେଇଥିଲା ଯେ, ଅମିତ ଓ ତା ଏଜେଣ୍ଟମାନେ ସାଧାରଣ ଲୋକଙ୍କୁ ଶେୟାର ଟ୍ରେଡିଂ ଆଳରେ ଫସାଇଥିଲେ । ମାସିକ ୩.୫ ପ୍ରତିଶତରୁ ୭ ପ୍ରତିଶତ ରିଟର୍ଣ୍ଣ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଏପରିକି ବିଶ୍ବାସ ଜନ୍ମାଇବା ପାଇଁ ଅମିତ ନିବେଶକାରୀଙ୍କ ସହ ଚୁକ୍ତି ମଧ୍ୟ କରିଥିଲେ । ଅମିତ ୨୦୨୦ରୁ ୨୦୨୪ ମଧ୍ୟରେ ଓଡ଼ିଶାର ୫୦୦ଜଣ ଏବଂ ପଶ୍ଚିବମଙ୍ଗର ୧୦୦ଜଣଙ୍କୁ ଫସାଇ ୧୨୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ନେଇଯାଇଥିଲେ । ଏହାମଧ୍ୟରୁ ୪୦ କୋଟି ଟଙ୍କା ନିବେଶକାରୀମାନଙ୍କୁ ଫେରାଇବାର ଅଛି ସେ ନିବେଶକାରୀମାନଙ୍କୁ ପ୍ରତିଶ୍ରୁତି ଅନୁଯାୟୀ ରିଟର୍ନ ଦେଉଥିବା ବେଳେ ୨୦୨୩ ମସିହାରେ ଏହା ଦେବା ବନ୍ଦ କରିଦେଇଥିଲା । ଅମିତ୍ ପ୍ରଥମେ ନିଜ କମ୍ପାନୀ କଳ୍ପନା ଫାଇନାନ୍ସିଆଲ୍ ସର୍ଭିସେସ୍ ନାଁରେ ଟଙ୍କା ନେଉଥିବା ବେଳେ ପରବର୍ତ୍ତୀ ସମୟରେ ନୂଆ କମ୍ପାନୀ କଳ୍ପମିତ୍ କନ୍ସଲଟାନ୍ସି ପ୍ରାଇଭେଟ୍ ଲିଂରେ ଏହି ଟଙ୍କା ନିବେଶ ହେଉଥିବା କହିଥିଲା । ହେଲେ ଏହାପରେ ନିବେଶକାରୀଙ୍କ ଟଙ୍କା ଠକି ଫେରାର ହୋଇଯାଇଥିଲା । ତେବେ ଠକେଇର ଶିକାର ଭୁବନେଶ୍ବର ବାଲିପାଟଣା ଥାନା ଅଞ୍ଚଳ ସୁଶାନ୍ତ କୁମାର ଦାସଙ୍କ ରିପୋର୍ଟ ଆଧାରରେ ଇଓଡବ୍ଲ୍ୟୁ ୨୦୨୫ ଡିସେମ୍ବର ୨୯ରେ ମାମଲା (ନଂ.୨୦/୨୦୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
Powered by Froala Editor