ପରଲୋକରେ ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରା
ଭବାନୀପାଟଣା: ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ସାହିତ୍ୟିକ ରାସ ବିହାରୀ ବେହେରା (୮୮)ଙ୍କ ଗତ ରାତିରେ ପରଲୋକ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ୧୯୭୭ ଓ ୧୯୮୫ ମସିହାରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ସେ କୃଷିମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ୧୯୮୦ରେ କଳାହାଣ୍ଡି ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।
୧୯୩୮, ଅପ୍ରେଲ ୧୨ ତାରିଖ ଦିନ ମହିଚଲା ଗାଁରେ ପ୍ରସନ୍ନ କୁମାର ବେହେରା ଓ ରାଜେଶ୍ୱରୀ ବେହେରା ପୁତ୍ର ଭାବେ ଜନ୍ମିତ ରାସ ବିହାରୀ ଛାତ୍ର ଜୀବନରୁ ସାହିତ୍ୟ, କ୍ରୀଡ଼ା ପ୍ରତି ରୁଚି ରଖିଥିଲେ। ଉଚ୍ଚ ଶିକ୍ଷା ପରେ ସେ ଭବାନୀପାଟଣା ନଗରପାଳ ଓ ୨ ଥର କୋକସରା ବିଧାୟକ ଏବଂ ଥରେ କଳାହାଣ୍ଡି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। କଳାହାଣ୍ଡି ଜିଲା କ୍ରୀଡ଼ା ସଂଘ, କଳାହାଣ୍ଡି ଲେଖକ କଳା ପରିଷଦର ସେ ପ୍ରତିଷ୍ଠାତା ସଭାପତି ଥିବା ବେଳେ ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଭାବେ ଦୀର୍ଘ ବର୍ଷ ଦାୟିତ୍ୱରେ ଥିଲେ। ଜିଲାର ସଂସ୍କୃତି, କ୍ରୀଡ଼ା ଏବଂ ସାହିତ୍ୟର ଉନ୍ନତି କ୍ଷେତ୍ରରେରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି।
ଜଣେ ସ୍ରଷ୍ଟା ଭାବେ ରାସ ବିହାରୀଙ୍କ ରଚିତ ଉପନ୍ୟାସ ମଞ୍ଜରୀ, ମଞ୍ଜୁଷା, ଅଧିକାର, ସେହି ପାହାଡ ତଳ, ରକ୍ତତୀର୍ଥ, ମଞ୍ଜୁଳ, ଭ୍ରମଣ କାହାଣୀ ଅନନ୍ୟ ସୃଷ୍ଟି କାନାଡ଼ା ପ୍ରଭୃତି ପାଠକୀୟ ଆଦୃତି ଲାଭ କରିଛି। ତାଙ୍କ ଉପନ୍ୟାସ ବିଜୟୀ ଉଭୟ ଓଡ଼ିଆ ଏବଂ ହିନ୍ଦୀରେ ପ୍ରକାଶ ପାଇଛି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବିଭିନ୍ନ ବର୍ଗର ଲୋକେ ତାଙ୍କୁ ଶେଷ ଦର୍ଶନ କରିଥିଲେ। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
Powered by Froala Editor