ନଭେମ୍ବର ପହିଲାରୁ ଗହୀରମଥାରେ ମାଛ ଧରିବା ଉପରେ କଟକଣା ଜାରି
ରାଜନଗର: ଅଲିଭ୍ରିଡ୍ଲେ କଇଁଛଙ୍କ ପ୍ରଜନନ ଋତୁକୁ ଦୃଷ୍ଟିରେ ରଖି ଆସନ୍ତା ନଭେମ୍ବର ପହିଲାରୁ ୨୦୨୭ ମେ’ ମାସ ୩୧ ତାରିଖ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି । ଉପକୂଳରୁ ସମୁଦ୍ର ଭିତରକୁ ୨୦ କିଲୋମିଟର ଏବଂ ଧାମରା ମୁହାଣରୁ ମହାନଦୀ ମୁହାଣ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ମାଛ ଧରିବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି ହୋଇଛି ।
ଲକ୍ଷ ଲକ୍ଷ ଅଲିଭ୍ରିଡ୍ଲେ କଇଁଛ ସୁଦୁର ଶ୍ରୀଲଙ୍କାରୁ ପ୍ରଶାନ୍ତ ମହାସାଗର, କୋଷ୍ଟାରିକା ଅଞ୍ଚଳ ଦେଇ ବଂଶ ବିସ୍ତାର କରିବା ପାଇଁ ହଜାର ହଜାର ମାଇଲ୍ ସାମୁଦ୍ରିକ ପଥ ଅତିକ୍ରମ କରି ଗହୀରମଥା ଅଞ୍ଚଳକୁ ଆସିଥାନ୍ତି । ଏମାନେ ମୁଖ୍ୟତଃ ଗହୀରମଥାର ନାସୀ, ଅଗରନାସୀ, ଏକକୂଳା, ବାବୁବାଲି, ଚିଞ୍ଚିରି ମୁହାଣ ଓ ସାତଭାୟା ଆଦି ସ୍ଥାନରେ ଅଣ୍ଡା ଦେଇଥାନ୍ତି । ଅଲିଭ୍ରିଡ୍ଲେ ଗହୀରମଥା ଉପକୂଳକୁ ଆସିଲେ ଅଧିକ ପରିମାଣରେ ମାଛ ଉପଲବ୍ଧ ହୋଇଥାନ୍ତି । ମାଛ ଯାଆଁଳକୁ ସମୁଦ୍ରରେ ଜେଲିଫିସ୍ ଖାଇ ଦେଇଥାଏ ।
ଅଲିଭ୍ରିଡ୍ଲେ କଇଁଛ ଜେଲିଫିସ୍କୁ ଖାଇମାଛ ବଂଶ ବୃଦ୍ଧିରେ ସହାୟକ ହୋଇଥାଏ । ଗହୀରମଥା ଓ ଏହାର ଆଖପାଖ ଅଞ୍ଚଳରେ ଏହି ସମୟରେ ପ୍ରଚୁର ପରିମାଣରେ ମାଛ ଉପଲବ୍ଧ ହେଉଥିବାରୁ ଟ୍ରଲର ମାଲିକମାନେ ନିଷିଦ୍ଧାଞ୍ଚଳରେ ପ୍ରବେଶ କରି ମାଛ ମାରିବା ସହିତ ଅଲିଭ୍ରିଡ୍ଲେ କଇଁଛଙ୍କ ମୃତ୍ୟୁର କାରଣ ହୋଇଥାନ୍ତି । ତେଣୁ ନଭେମ୍ବର ପ୍ରଥମ ସପ୍ତାହରୁ ଅଲିଭ୍ରିଡ୍ଲେ କଇଁଛ ଗହୀରମଥାକୁ ଆସିବା ଓ ଅଣ୍ଡାଦାନ କରି ଫେରିବା ପର୍ଯ୍ୟନ୍ତ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ମାଛଧରା କଟକଣାକୁ କଡ଼ାକଡ଼ି କରାଯାଇଥାଏ । ଚଳିତବର୍ଷ ଅଲିଭ୍ରିଡ୍ଲେଙ୍କ ସୁରକ୍ଷା ପାଇଁ ମାଦେଳି ମୁହାଣ ଓ ବାବୁବାଲିଠାରେ ଦୁଇଟି କ୍ୟାମ୍ପ୍ କରାଯାଉଛି ।
Powered by Froala Editor