ପ୍ରତ୍ୟେକ ପରିବାରକୁ ନିରାପଦ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: ବନ୍ୟା ପରବର୍ତ୍ତୀ ସମୟରେ ସମ୍ଭାବ୍ୟ ଜନସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ତଥା ଜଳବାହିତ ରୋଗର ପ୍ରତିରୋଧ ପାଇଁ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ସମସ୍ତ ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ସଜାଗ ରହିବା ସହ ପ୍ରତ୍ୟେକ ପରିବାରକୁ ନିରାପଦ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରତିଷେଧମୂଳକ ପଦକ୍ଷେପ ଉପରେ ଗୁରୁତ୍ୱ ଦେଇ ସେ ନିର୍ଦ୍ଦେଶ ଦେଇଛନ୍ତି ଯେ, ପାନୀୟ ଜଳର ସମସ୍ତ ଉତ୍ସ, ସାମୂହିକ ଜଳ ଯୋଗାଣ ବ୍ୟବସ୍ଥା ଓ ଅନ୍ୟାନ୍ୟ ସାର୍ବଜନୀନ ଜଳ ଉତ୍ସଗୁଡ଼ିକର ଉପଯୁକ୍ତ ସଫେଇ ସହ ବିଶୋଧନ ଓ ଜୀବାଣୁମୁକ୍ତୀକରଣ କରାଯିବା ଆବଶ୍ୟକ । ଜଳ ପ୍ରଦୂଷଣ ରୋକିବା ଏବଂ ଜଳବାହିତ ରୋଗର ସମ୍ଭାବ୍ୟ ପ୍ରସାରକୁ ନିୟନ୍ତ୍ରଣ କରିବା ଦିଗରେ ଏହି ପଦକ୍ଷେପଗୁଡ଼ିକୁ ସର୍ବାଧିକ ପ୍ରାଥମିକତା ଦେବାକୁ ସେ କହିଛନ୍ତି ।
ସେହିପରି ବନ୍ୟା ପ୍ରଭାବିତ ଅଞ୍ଚଳରେ ପରିମଳ ଓ ସ୍ୱଚ୍ଛତା ବ୍ୟବସ୍ଥାର ତୁରନ୍ତ ପୁନଃସ୍ଥାପନ ଉପରେ ଶ୍ରୀମତୀ ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତି । ପ୍ରଭାବିତ ଅଞ୍ଚଳରେ ଜମି ରହିଥିବା ଆବର୍ଜନା, ଭଙ୍ଗାରୁଜା ସାମଗ୍ରୀ ଓ ଜଳରାଶିକୁ ତୁରନ୍ତ ହଟାଇବା ସହ ଜଳ ନିଷ୍କାସନ ଓ ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରି ସ୍ୱାସ୍ଥ୍ୟକର ପରିବେଶ ପୁନଃସ୍ଥାପନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଏହି କାର୍ଯ୍ୟକୁ ଏକ ଜରୁରୀ ଜନସ୍ୱାସ୍ଥ୍ୟ ପ୍ରାଥମିକତା ଭାବେ ଗ୍ରହଣ କରି ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀମାନେ ନିଜେ କ୍ଷେତ୍ରସ୍ତରରେ ପରିସ୍ଥିତିର ନିୟମିତ ତଦାରଖ କରିବାକୁ ସେ କହିଛନ୍ତି । ଏଥିସହ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକର ଫଟୋଚିତ୍ର ସହ ନିୟମିତ ସ୍ଥିତି ବିବରଣୀ ନିର୍ଦ୍ଧାରିତ ଯୋଗାଯୋଗ ମାଧ୍ୟମରେ ପ୍ରେରଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ଜନସ୍ୱାସ୍ଥ୍ୟ ଓ ନାଗରିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା ବୋଲି ଦୋହରାଇ ଶ୍ରୀମତୀ ପାଢ଼ୀ ସ୍ପଷ୍ଟ କରିଛନ୍ତି ଯେ, ପାନୀୟ ଜଳର ଗୁଣବତ୍ତା ଓ ନିରାପତ୍ତା ଏବଂ ସହରାଞ୍ଚଳର ପରିମଳ ବ୍ୟବସ୍ଥା ବଜାୟ ରଖିବା କ୍ଷେତ୍ରରେ କୌଣସି ପ୍ରକାର ଅବହେଳା ଗ୍ରହଣୀୟ ହେବ ନାହିଁ ।
Powered by Froala Editor