ବିଦ୍ୟାଭାରତୀଙ୍କୁ ପାରଳା ନେଇ ଜେରା କରିବ ପୁଲିସ

ଭୁବନେଶ୍ୱର : ବିଦ୍ୟାଭାରତୀଙ୍କୁ ଘଂଟା ଘଂଟା ଜେରା କରାଯାଇଛି । ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତୁ୍ୟକୁ ନେଇ ତଦନ୍ତ ଜୋରଦାର ହେଉଛି ବୋଲି ପୁଲିସ ଦେଖାଇ ହେଉଛି । କିନ୍ତୁ ଏଯାବତ ପୁଲିସ କୌଣସି ଠୋସ ନିଷ୍କର୍ସରେ ପହଁଚି ପାରୁନାହିଁ । ତଦନ୍ତ ବାଟବଣା ହେଉଛି ବୋଲି ବି ଅଭିଯୋଗ ଆସୁଛି । ଏଭଳି କ୍ଷେତ୍ରରେ ବିଦ୍ୟାଭାରତୀଙ୍କୁ ପାରଳା ନେଇ ଜେରା କରିବାକୁ ପୁଲିସ ଯୋଜନା କରିଛି ।
ସୌମ୍ୟରଞ୍ଜନଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠର ଦ୍ୱାରସ୍ଥ ହେବା ସହିତ ସିବିଆଇ ତଦନ୍ତ ଦାବି କରିଛନ୍ତି । ଏଥିସହିତ, ଜାତୀୟ ମାନବାଧିକାର କମିସନ (ଏନଏଚଆରସି)ଙ୍କର ବି ଦୃଷ୍ଟି ଆକର୍ଷଣ କରାଯାଇଛି । ତଦନ୍ତକୁ ନେଇ ଏହିଭଳି ପ୍ରଶ୍ନ ଉଠୁଥିବାବେଳେ ବିଦ୍ୟାଭାରତୀଙ୍କୁ ଘଟଣାସ୍ଥଳକୁ ଆଣି ଅଧିକ ଅନୁସନ୍ଧାନ ପାଇଁ ପାରଳା ପୁଲିସ ମନସ୍ଥ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । କିଛିଦିନ ଧରି ବେଶ ଚର୍ଚ୍ଚାରେ ଥିବା ଏସିଏଫ ସୌମ୍ୟରଞ୍ଜନ ମୃତୁ୍ୟ ମାମଲା ଇତିମଧ୍ୟରେ ତିନି ସପ୍ତାହ ପୂରଣ ହୋଇଛି । ଗଜପତି ପୁଲିସ ଡିଏଫଓ ଓ ରୋଷେୟାଙ୍କୁ କ୍ଲିନଚିଟ ଦେବାପରେ ସମସ୍ତଙ୍କ ନଜର ବିଦ୍ୟାଭାରତୀଙ୍କ ଉପରେ କେନ୍ଦ୍ରୀଭୂତ ରହିଛି । ଘଟଣାଦିନ ସୌମ୍ୟରଞ୍ଜନଙ୍କ ଦେହରେ କିଭଳି ନିଆଁ ଲାଗିଲା, ତାହାର ପ୍ରତ୍ୟକ୍ଷଦର୍ଶୀ କେବଳ ବିଦ୍ୟାଭାରତୀ । ତେଣୁ, ସୌମ୍ୟରଞ୍ଜନ ୯୦ ପ୍ରତିଶତ ଜଳିବା ପର୍ଯ୍ୟନ୍ତ ବିଦ୍ୟାଭାରତୀ କ’ଣ କରୁଥିଲେ, କାହାକୁ ସାହାଯ୍ୟ ପାଇଁ ଡାକିଥିଲେ ନା ସେ ନିଜେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ; ସୌମ୍ୟରଞ୍ଜନ ଜଳିଯିବାପରେ ପ୍ରଥମେ କାହାକୁ ଡାକି ହସ୍ପିଟାଲକୁ ନେଲେ, କଟକ ସ୍ଥାନାନ୍ତରବେଳେ ବନ ବିଭାଗ କାର୍ଯ୍ୟାଳୟ ଗେଟ ପାଖରେ ଆମ୍ବୁଲାନ୍ସ ୧୫ ମିନିଟ କାହିଁକି ଅଟକିଥିଲା, କ୍ୱାର୍ଟର୍ସକୁ ଆସି ସେ କ’ଣ ଜିନିଷ ନେଇଥିଲେ, ଏମିତି ଅନେକ ତଥ୍ୟ ଅଧାରରେ ବିଦ୍ୟାଭାରତୀଙ୍କ ଉପସ୍ଥିତିରେ ପୁଲିସ ଘଟଣାସ୍ଥଳର ଛାନଭିନ କରିବ ବୋଲି ଜଣାପଡ଼ିଛି ।
ଗଣମାଧ୍ୟମକୁ ଦୂରେଇ ରଖି ଗୁପ୍ତ ଭାବେ ବିଦ୍ୟାଭାରତୀଙ୍କୁ ଆଣି ପୁଲିସ ଏହି ଡେମୋ କରିପାରେ ବୋଲି କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
Powered by Froala Editor