ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ଉଡ଼ାଣ ଠପ୍, ଜାଣନ୍ତୁ କାରଣ
ଭୁବନେଶ୍ୱର: ଭୁବନେଶ୍ୱରରୁ ଧୀରେ ଧୀରେ ବିଭିନ୍ନ ସ୍ଥାନକୁ ଏୟାର୍ କନେକ୍ଟିଭିଟି କମିବାରେ ଲାଗିଛି। ଏଥିସହ ଅନ୍ତର୍ଜାତୀୟ ଉଡ଼ାଣ ଏକ ପ୍ରକାର ଠପ୍ ହୋଇଯାଇଛି। ପୂର୍ବରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦେଶର ୩୦ରୁ ଅଧିକ ସହର ସହ ଆକାଶପଥରେ ସିଧାସଳଖ ଯୋଗାଯୋଗ ରହିଥିବାବେଳେ ଚଳିତ ବର୍ଷର ସମର ସିଡ୍ୟୁଲରେ ଏହା ୧୯ଟି ସହରକୁ ଖସିଆସିଥିଲା। ସେହିପରି ଭୁବନେଶ୍ୱରରୁ ଆବୁଧାବି, ଦୁବାଇ, ମାଲେସିଆ, ସିଙ୍ଗାପୁର ଆଦି ଦେଶକୁ ବିମାନ ଉଡାଣ କରୁଥିଲା। ମାତ୍ର କ୍ରମଶଃ ଅନ୍ତର୍ଜାତୀୟ ବିମାନ ସେବା ସଙ୍କୁଚିତ ହେବା ସହ ଗୋଟିଏମାତ୍ର ବିମାନ ବ୍ୟାଙ୍କକ୍କୁ ଉଡୁଥିଲା। ତେବେ ଜୁଲାଇ ୧୮ରୁ ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ବିମାନ ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ ୧୭ରେ ୬୪ଜଣ ଯାତ୍ରୀ ଭୁବନେଶ୍ୱରରୁ ବ୍ୟାଙ୍କକ୍ ଯାତ୍ରା କରିଥିବାବେଳେ ଜୁଲାଇ ୧୮ରେ ୧୪୦ ଜଣ ଯାତ୍ରୀ ବ୍ୟାଙ୍କକ୍ରୁ ଭୁବନେଶ୍ୱର ଆସିଥିଲେ। ବର୍ତ୍ତମାନ ଏହି ଅନ୍ତର୍ଜାତୀୟ ଉଡ଼ାଣ ବନ୍ଦ ରହିଛି। ତେବେ ଅକ୍ଟୋବରରୁ ପୁଣି ଥରେ ବିମାନ ସେବା ଆରମ୍ଭ ହେବାର ଆଶା ରହିଥିବା ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରର ଜଣେ ଅଧିକାରୀ କହିଛନ୍ତି।
ଇନ୍ଧନ ମୂଲ୍ୟ ବୃଦ୍ଧି ମଧ୍ୟ ଏୟାରଲାଇନ୍ସଗୁଡ଼ିକ ଉପରେ ଚାପ ବଢ଼ାଇଛି। ଇନ୍ଧନ ଦର ବଢ଼ିବା ସହ ବିମାନ ଭଡ଼ା ବୃଦ୍ଧି ପାଇବାରୁ ଯାତ୍ରୀଙ୍କ ଉପରେ ମଧ୍ୟ ଅତିରିକ୍ତ ଆର୍ଥିକ ବୋଝ ପଡ଼ୁଛି। ବର୍ଦ୍ଧିତ ଯାତ୍ରୀ ସଂଖ୍ୟା ଏବଂ ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନାକୁ ଦେଖି ଏୟାର୍ କନେକ୍ଟିଭିଟି ବୃଦ୍ଧି ଆବଶ୍ୟକ ହୋଇଥିବାବେଳେ ସେବା ହ୍ରାସ ରାଜ୍ୟର ବିମାନ ଯୋଗାଯୋଗ ବ୍ୟବସ୍ଥା ପାଇଁ ଚିନ୍ତାର ବିଷୟ ପାଲଟିଛି।
Powered by Froala Editor