ଏଥର ଧାନବିକ୍ରି ପଞ୍ଜୀକରଣରେ ନୂଆ ନିୟମ, ଏଗ୍ରିଷ୍ଟାକ ଆଇଡି ଖୋଲିବାକୁ ବାଧ୍ୟତାମୂଳକ
ବରଗଡ଼: ଧାନବିକ୍ରି ନେଇ ରାଜ୍ୟ ସରକାର ଦିନକୁ ଦିନ ଗୋଟିଏ ପରେ ଗୋଟିଏ ନିୟମ ଲାଗୁ କରୁଛନ୍ତି। ଏଥିପାଇଁ ପ୍ରତି ୬ମାସରେ ଥରେ ଚାଷୀ ପଞ୍ଜୀକରଣ କରାଯାଉଛି। ତେବେ ପଞ୍ଜୀକରଣ ସମୟରେ ଯେଉଁ କଟକଣା ରହୁଛି, ତାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି। ଏଥର ଧାନବିକ୍ରି ପଞ୍ଜୀକରଣରେ ଏକ ନୂଆ ନିୟମ ତଥା ଏଗ୍ରିଷ୍ଟାକ ଆଇଡି ଖୋଲିବାକୁ ବାଧ୍ୟତାମୂଳକ କରାଯାଇଛି। ଏହାକୁ ନେଇ ଆରମ୍ଭରୁ ବିରୋଧ ତେଜି ଉଠିଛି। ଏହି କ୍ରମରେ ରବିବାର ବରଗଡ଼ ସମତା ଭବନରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଚାଷୀ ସଂଗଠନ ଜୟ କିଷାନ ଆନ୍ଦୋଳନ ପକ୍ଷରୁ ଅନୁଷ୍ଠିତ ଏହି ଖବରଦାତା ସମ୍ମିଳନୀରେ ୯୦ ପ୍ରତିଶତ ଚାଷୀଙ୍କୁ ଧାନବିକ୍ରି ପ୍ରକ୍ରିୟାରୁ ବଞ୍ଚିତ କରିବା ପାଇଁ ସରକାର ଏଭଳି
ନୂଆ ପଞ୍ଜୀକରଣ ବ୍ୟବସ୍ଥା କରିଛନ୍ତି ଏବଂ ସରକାରଙ୍କ ଏହି ଚକ୍ରାନ୍ତକୁ ବରଦାସ୍ତ କରାଯିବ ନାହିଁ ବୋଲି ସଂଗଠନର ନେତୃବୃନ୍ଦ ଚେତାବନୀ ଦେଇଥିଲେ।
ଖବରଦାତା ସମ୍ମିଳନୀରେ ଯୋଗ ଦେଇ ଜୟ କିଷାନ ଆନ୍ଦୋଳନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ କହିଥିଲେ, ଚଳିତ ଖରିଫ ଋତୁ ପାଇଁ ସରକାର ନୂତନ ପଞ୍ଜୀକରଣ ପାଇଁ ସରକାର ଯେଉଁ ନିର୍ଦ୍ଦେଶାବଳୀ ଯାରି କରିଛନ୍ତି, ସେଥିରେ ଏଗ୍ରିଷ୍ଟାକ ଆଇଡିକୁ ବାଧ୍ୟତାମୂଳକ କରାଯାଇଛି। ଏହି ବ୍ୟବସ୍ଥାରେ ୯୦ ପ୍ରତିଶତ ଚାଷୀ ପଞ୍ଜୀକରଣ କରି ନପାରି ଧାନବିକ୍ରି ପ୍ରକ୍ରିୟାରୁ ବଞ୍ଚିତ ହେବେ। ଏଣୁ ଅତିଶୀଘ୍ର ସରକାର ଏହି ବ୍ୟବସ୍ଥାକୁ ପରିବର୍ତ୍ତନ ସହିତ ସୀମିତ ସମୟସୀମାକୁ ବୃଦ୍ଧି କରନ୍ତୁ ବୋଲି ଲିଙ୍ଗରାଜ କହିଛନ୍ତି।
ସେହିପରି ସମସ୍ତ ଚାଷୀଙ୍କୁ ଜମିପଟ୍ଟା ଦେବାକୁ ପ୍ରାଥମିକତା ଦିଅନ୍ତୁ ଅନ୍ୟଥା ସରକାର ଭୟଙ୍କର ଚାଷୀ ଅସନ୍ତୋଷର ଶିକାର ହେବେ ବୋଲି ମଧ୍ୟ ସେ ସରକାରଙ୍କୁ ଚେତାଇ ଦେଇଛନ୍ତି। ଲିଙ୍ଗରାଜ କହିଥିଲେ, ଗତ ଖରିଫ ଋତୁ ସମୟରେ ମଧ୍ୟ ରାଜ୍ୟ ସରକାର ଏକ ଜଟିଳ ପଞ୍ଜୀକରଣ ବ୍ୟବସ୍ଥା ଲାଗୁ କରିଥିଲେ ଏବଂ ଚାଷୀମାନଙ୍କ ଆନ୍ଦୋଳନ ପରେ ତାହାକୁ ପ୍ରତ୍ୟାହାର କରିଥିେ୍। କିନ୍ତୁ ଚଳିତବର୍ଷ ପୁଣି ନୂଆ ଏକ କଟକଣା ବ୍ୟବସ୍ଥା ଲାଗୁ କରିଛନ୍ତି। ଏପରି ଚାଷୀ ବିରୋଧି ଆଚରଣରୁ ସରକାର ନିବୃତ୍ତ ରହି ଏକ ସରଳ ଓ ଚାଷୀଭିମୁଖୀ ପଞ୍ଜିକରଣ ବ୍ୟବସ୍ଥା ଲାଗୁ କରନ୍ତୁ ବୋଲି ଲିଙ୍ଗରାଜ କହିଛନ୍ତି। ଛତିଶଗଡ଼ର ପଞ୍ଜୀକରଣ ଓ ଧାନ ବ୍ୟବସ୍ଥାରୁ ସରକାର କିଛି ଶିକ୍ଷାଲାଭ କରନ୍ତୁ ବୋଲି ଲିଙ୍ଗରାଜ କହିଥିଲେ। କିନ୍ତୁ ଓଡ଼ିଶାରେ ଏତେ ବ୍ୟତିକ୍ରମ କାହିଁକି ବୋଲି ସରକାରଙ୍କୁ ସେ ପ୍ରଶ୍ନ କରିଥିଲେ। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଚାଷୀ ନେତା ଶିବ ପ୍ରସାଦ ପ୍ରଧାନ, ଜୟ କିଷାନ ଆନ୍ଦୋଳନର ଜିଲା ସଭାପତି ସୁଶୀଲ କୁମାର ସାହୁ, ସାଧାରଣ ସମ୍ପାଦକ ହର ବଣିଆଁ, ସରୋଜ ପଧାନ, କୁନା ବେହେରା, ଭଞ୍ଜନ ବାରିକ ଏବଂ କିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Powered by Froala Editor