ପୁଣି ଥରେ ଗମ୍ଭୀର ହେବାରେ ଲାଗିଛି ଜଳକା ନଦୀର ବନ୍ୟା ପରିସ୍ଥିତି
ବାଲେଶ୍ୱର :ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ଜଳକା ନଦୀର ବନ୍ୟା ପରିସ୍ଥିତି ପୁଣି ଥରେ ଗମ୍ଭୀର ହେବାରେ ଲାଗିଛି । ନଦୀର ଉପରମୁଣ୍ଡ ମୟୂରଭଞ୍ଜ ଜିଲ୍ଲାରେ ଗତ ଦୁଇ ଦିନ ଧରି ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଜଳକା ନଦୀ ଏବେ ଫୁଲିବାରେ ଲାଗିଛି । ବିଶେଷ କରି ମୟୂରଭଞ୍ଜର ରାସଗୋବିନ୍ଦପୁର, ଶୁଳିଆପଦା, ମୋରଡା ଓ ଚିତ୍ରଡା ଭଳି ଅଞ୍ଚଳରେ ପ୍ରବଳ ବର୍ଷା ହେବା ଫଳରେ ବସ୍ତା ଅଞ୍ଚଳର ତଳିଆ ଅଞ୍ଚଳ ଗୁଡିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଫଳରେ ଶହ ଶହ ହେକ୍ଟର ଚାଷ ଜମି ଏବେ ଜଳମଗ୍ନ ହୋଇ ରହିଛି, ଯାହା ଚାଷୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି ।
ଗତ ୨୮ ତାରିଖରେ ହୋଇଥିବା ବନ୍ୟା ପାଣି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଛାଡି ନଥିବା ବେଳେ ପୁଣି ଥରେ ନଦୀର ଜଳସ୍ତର ବୃଦ୍ଧି ପାଇବା ପରିସ୍ଥିତିକୁ ଅଧିକ ଜଟିଳ କରିଦେଇଛି । ଜଳକା ସହିତ ପଳପଳା ନଦୀର ବନ୍ୟା ଜଳ ମଧ୍ୟ ଲୋକଙ୍କ ଦୁର୍ଦ୍ଦଶା ବଢାଇଛି । ବନ୍ୟା ଛାଡିବାର ୧୨ ଦିନ ବିତି ଯାଇଥିଲେ ସୁଦ୍ଧା ଅନେକ ସ୍ଥାନରେ ଚାଷ ଜମି ଉପରେ ପାଣି ଲହଡି ମାରୁଛି। ଜଳ ନିଷ୍କାସନ ପାଇଁ ଉପଯୁକ୍ତ ସୁବିଧା ନଥିବାରୁ ହଜାର ହଜାର ହେକ୍ଟର ଜମିରେ ବନ୍ୟା ଜଳ ଜମି ରହିଛି, ଯାହା ଦ୍ୱାରା ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି ।
Powered by Froala Editor