ବିଦ୍ୟାଭାରତୀଙ୍କୁ ପୁଣି ଥରେ ଜେରା

ଭୁବନେଶ୍ୱର : ତିନି ସପ୍ତାହ ବିତି ଯାଇଥିଲେ ବି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତୁ୍ୟ ରହସ୍ୟ ଉପରୁ ପରଦା ହଟିପାରୁନି । ତେବେ ଆଜି ବିଦ୍ୟାଭାରତୀଙ୍କୁ ପୁଣି ଥରେ ଜେରା କରାଯାଇଛି । ବିଶେଷକରି ବିଦ୍ୟାଭାରତୀୟଙ୍କ ମୋବାଇଲରେ ଥିବା ଦୁଇଟି ଫଟୋକୁ ନେଇ ଚର୍ଚ୍ଚା ଜୋରଧରିଛି ।
ଗତଥର ପୁଲିସ ବିଦ୍ୟାଙ୍କ ନିକଟରୁ ତାଙ୍କର ଓ ସୌମ୍ୟଙ୍କ ମୋବାଇଲ ଫୋନ ଜବତ କରିଥିଲା । ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜବତ ହୋଇଥିବା ବିଦ୍ୟାଙ୍କ ମୋବାଇଲରୁ ୨ଟି ଫଟୋ ମିଳିଛି । ମିଳିଥିବା ଫଟୋରୁ ଗୋଟିଏ ଉଦଳା ବ୍ଲକ ରାଢୋ ପଞ୍ଚାୟତର ଜଣେ ଯୁବକଙ୍କର ବୋଲି ଜଣାପଡ଼ିଛି । ଉକ୍ତ ଯୁବକ ଓ ବିଦ୍ୟାଭରତୀଙ୍କ ମଧ୍ୟରେ ବାର୍ତ୍ତାଳାପର ଫୋନ ରେକର୍ଡିଂ ବି ପୁଲିସ ହାତରେ ଲାଗିଥିବା କୁହାଯାଉଛି । ଏହାକୁ ନେଇ ପୁଲିସ ଖୋଳତାଡ଼ ସହିତ ଉକ୍ତ ଯୁବକଙ୍କୁ ବି ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି । ଏଥିସହ ୨୦୧୯ରେ ବିଦ୍ୟାଙ୍କ ସହ ବିବାହ ପ୍ରସ୍ତାବ ପଡ଼ିଥିବା ଉଦଳା ଏନଏସି ୧୦ ନମ୍ବର ୱାର୍ଡ ବାସିନ୍ଦା ତଥା ଏବେ ବ୍ୟାଙ୍କ ଅଫିସର ଥିବା ଜୟପ୍ରକାଶ ପାଣିଗ୍ରାହୀଙ୍କୁ ମଧ୍ୟ ପୁଲିସ ତଦନ୍ତ ପରିସରଭୁକ୍ତ କରିପାରେ ବୋଲି ଚର୍ଚ୍ଚା ହେଉଛି । ଯଦିଓ ତଦନ୍ତର ଦିଗ କେଉଁଆଡ଼କୁ ଯିବ ଏବଂ ଏ ସବୁ ଚରିତ୍ର ଭିତରୁ କିଏ ପୁଲିସ ସ୍କାନରରେ ରହିବ ତାହା ସ୍ପଷ୍ଟ ହୋଇନି, ତେବେ ବିଦ୍ୟାଙ୍କୁ ଜେରା କରିବାପାଇଁ ପୁଲିସ ଦ୍ୱିତୀୟଥର ଆସୁଥିବାରୁ ନିଶ୍ଚିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୁଲିସ ହାତରେ ଲାଗିଥିବା କୁହାଯାଉଛି ।
Powered by Froala Editor