ସାବଧାନ : ଭିକାରୀ ବେଶରେ କରୁଛନ୍ତି ଲୁଟ

ଭୁବନେଶ୍ୱର: ଭିକାରୀ ବେଶରେ ବୁଲି ବୁଲି ଲୋକଙ୍କ ଘରୁ ମୋବାଇଲ ଫୋନ ଭଳି ଦାମୀ ସାମଗ୍ରୀ ଲୁଟ କରୁଥିବା ଏକ ଗ୍ୟାଙ୍ଗ ନୂଆପଲ୍ଲୀ ଥାନା ଡେଲଟା ପାଇକନଗର ଅଞ୍ଚଳରୁ ଧରାପଡ଼ିଛନ୍ତି । ଏହି ଗ୍ୟାଙ୍ଗରେ ୩ ଜଣ ମହିଳା ଥିବା ବେଳେ ଜଣେ ଯୁବକ ଓ କିଛି ଛୋଟ ପିଲା ମଧ୍ୟ ଅଛନ୍ତି । ସ୍ଥାନୀୟ ଲୋକେ ସେମାନଙ୍କୁ ଧରି ନୂଆପଲ୍ଲୀ ଥାନା ପୁଲିସକୁ ହସ୍ତାନ୍ତର କରିଛନ୍ତି । ପୁଲିସ ସେମାନଙ୍କ ନିକଟରୁ ୫ଟି ମୋବାଇଲ ଫୋନ ଜବତ କରିଛି । ପୁଲିସ ୩ ମହିଳା ଓ ଉକ୍ତ ଯୁବକକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ ପାଇକନଗରରେ ରହୁଥିବା ଗଣେଶ ସାହୁ ଗାଧୋଇବା ପାଇଁ ବାଥରୁମ ଯାଇଥିବା ବେଳେ ଛୋଟ ପିଲାଟିଏ ସାଙ୍ଗରେ ଧରି ଭିକାରୀ ବେଶରେ ବୁଲୁଥିବା ଜଣେ ମହିଳା ତାଙ୍କ ଦୁଆରକୁ ଯାଇଥିଲା । ଘର କବାଟ ଖୋଲିଥିବା ବେଳେ ଭିତରେ କେହି ନଥିବା ଦେଖି ମହିଳା ଜଣକ ଚତୁରତାର ସହ ପିଲାଟିକୁ ଭିତରକୁ ପଠାଇ ଟେବୁଲରେ ଥିବା ମୋବାଇଲ ଫୋନ ନେଇ ଆସିଥିଲା । ଗାଧୁଆ ଘରୁ ବାହାରିବା ପରେ ଗଣେଶ ମୋବାଇଲ ଫୋନ ନ ଦେଖି ଘର ମାଲିକଙ୍କୁ କିଏ ଆସିଥିଲା ବୋଲି ପଚାରିଥିଲେ । ଜଣେ ମହିଳା ଭିକ ମାଗିବାକୁ ଆସିଥିଲା ବୋଲି ଘର ମାଲିକ କହିବା ପରେ ଗଣେଶ ତୁରନ୍ତ ପୁଲିସକୁ ଫୋନ କରିବା ସହ ଉକ୍ତ ମହିଳାଙ୍କୁ ଖୋଜିବାକୁ ବାହାରି ପଡିଥିଲେ । ଡେଲଟା ଛକରେ ଉକ୍ତ ମହିଳା ଓ ଗ୍ୟାଙ୍ଗର ଅନ୍ୟମାନଙ୍କୁ ଦେଖି ଗଣେଶ ସେମାନଙ୍କୁ ଅଟକାଇଥିଲେ ଓ ପୁଲିସ ମଧ୍ୟ ସେଠାରେ ପହଁଚିଥିଲା । ଯାଂଚ କଲା ବେଳେ ଛୋଟ ପିଲାଙ୍କ ପାଖରୁ ୫ଟି ମୋବାଇଲ ଫୋନ ମିଳିଥିଲା ।
Powered by Froala Editor