ସମ୍ବଲପୁରରେ ଅତି ପ୍ରବଳ ବର୍ଷା: ପାଣି ଘେରରେ ବନ୍ଦୀ ଥିବା ଜଣେ ଉଦ୍ଧାର, ଜଣେ ନିଖୋଜ
ସମ୍ବଲପୁର: ସମ୍ବଲପୁରରେ ଗତ ୪ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଗତ ରାତ୍ରି ତମାମ ଅବିଶ୍ରାନ୍ତ ବର୍ଷା ଫଳରେ ସହରର ବିଭିନ୍ନ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ସ୍ଥିତିର ସମୀକ୍ଷା ପାଇଁ ସମ୍ବଲପୁର ଜିଲାପାଳ ସିଦ୍ଧେଶ୍ୱର ବଲିରାମ ବୋନ୍ଦର ଏବଂ ସମ୍ବଲପୁର ମହାନଗର ନିଗମ(ଏସଏମସି) ଆୟୁକ୍ତ ରେହାନ ଖତ୍ରି ବ୍ୟକ୍ତିଗତ ଭାବେ ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଥିଲେ। ଏହାସହ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରି ସମସ୍ୟା ବୁଝିବା ସହ ଜଳନିଷ୍କାସନ ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରଳୟଙ୍କରୀ ବର୍ଷାକୁ ଦୃଷ୍ଟିରେ ରଖି ସମ୍ବଲପୁର ମହାନଗର ନିଗମ ଅଞ୍ଚଳ ଏବଂ ଧନକଉଡା ବ୍ଲକର ସମସ୍ତ ବିଦ୍ୟାଳୟକୁ ସୋମବାର ପାଇଁ ଛୁଟି ଘୋଷଣା କରାଯାଇଛି।
ଅନ୍ୟପଟେ ସେଣ୍ଟଜୋନ୍ସ ସ୍କୁଲ ସଙ୍କର୍ମା ରାସ୍ତା ବାଗଡ଼ିଆପଡ଼ା ନିକଟରେ ଗତକାଲି ରାତି ସାରା ଦୁଇ ଜଣ ବ୍ୟକ୍ତି ପାଣି ଘେରରେ ବନ୍ଦୀ ହୋଇ ରହିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ତେବେ ସେମାନଙ୍କ ମଧ୍ୟରୁ ଜଣକୁ ସଫଳତାର ସହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି ଓ ଏବେ ସୁଦ୍ଧା ଖୋଜି ବାହାର କରାଯାଇପାରି ନାହିଁ। ତାଙ୍କୁ ଖୋଜାଖୋଜି ଜାରି ରହିଛି ବୋଲି ଅଗ୍ନିଶମ ଅଧିକାରୀ ସୁଦାମ କିସ୍କୁ ସୂଚନା ଦେଇଛନ୍ତି।
Powered by Froala Editor