ଛାତ୍ରୀ ଆତ୍ମହତ୍ୟା ମାମଲା ; ଏହିମନ୍ତ୍ରୀଙ୍କ ପୁତୁରା ଗିରଫ
ଗୋପାଳପୁର : ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ଠାରେ ଥିବା ଏକ ବେସରକାରୀ କଲେଜର ବିସିଏ ଦ୍ବିତୀୟ ବର୍ଷର ଛାତ୍ରୀ ସ୍ମୃତି ଭୋଳ(୨୦) ଶନିବାର କଲେଜ ପରିସର ହଷ୍ଟେଲ କୋଠରୀରେ ଆତ୍ମହତ୍ୟା କରିବା ଘଟଣାରେ ପୁଲିସ ଆଜି ଅଭିଯୁକ୍ତ ତଥା ପୁରୁଷବନ୍ଧୁ ବିଶ୍ବଜିତ ଜେନା ଓରଫ୍ ପପୁ(୨୪)ଙ୍କୁ ଗିରଫ କରିଛି। ଅଭିଯୁକ୍ତ ବିଶ୍ବଜିତ ହେଉଛନ୍ତି ଖଣି ଓ ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ପୁୁତୁରା। ମୃତ ଛାତ୍ରୀଙ୍କ ପରିବାରର ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ବିଏନ୍ଏସର ଧାରା ୧୦୮ ଅନୁସାରେ ବିଶ୍ବଜିତଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ବିଶ୍ବଜିତଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲା। ରବିବାର ରାତିରେ ବିଶ୍ବଜିତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଇତିମଧ୍ୟରେ ପୁଲିସ ସ୍ମୃତିଙ୍କ ଲାପଟପ ଓ ମୋବାଇଲ ଫୋନକୁ ନେଇ ମଧ୍ୟ ଯାଞ୍ଚ ଆରମ୍ଭ କରିଛି। ଅନ୍ୟପଟେ ସ୍ମୃତିଙ୍କ ବ୍ୟବଛେଦ ରିପୋର୍ଟ ଆସିବା ପରେ ସେ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି ନା’ ସ୍ମୃତିଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦିଆଯାଇଥିବା ନେଇ ମାମୁ ସମେତ ପରିବାର କରିଥିବା ଅଭିଯୋଗର ସତ୍ୟତା ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି। ଅନ୍ୟପକ୍ଷରେ ରବିବାର ଅପରାହ୍ନରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବ୍ରହ୍ମପୁରରେ ଅୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ଥିବା ଖଣି ମନ୍ତ୍ରୀଙ୍କ ପୁତୁରା ତଥା ଅଭିଯୁକ୍ତ ବିଶ୍ବଜିତ ଜେନାଙ୍କୁ ଗିରଫ କରାଯାଇଥିଲା। ରାଜନୈତିକ ପ୍ରଭାବ ରହିଥିବା ଯୋଗୁଁ ପୁଲିସ ତଦନ୍ତ ଉପରେ ବିଜେଡି ନେତାମାନେ ସନ୍ଦେହ ପ୍ରକାଶ କରିବା ସହିତ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି କରିଛନ୍ତି।
Powered by Froala Editor