ଶିକ୍ଷାର୍ଥୀଙ୍କ ସୁରକ୍ଷାରେ ‘ଶକ୍ତିଶ୍ରୀ’ ଆପ୍, ଏମିତି କରିବେ ଡାଉନଲୋଡ୍
ଶିକ୍ଷାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ‘ଶକ୍ତିଶ୍ରୀ’ ମୋବାଇଲ ଆପ୍ ପ୍ରସ୍ତୁତ ହୋଇଛି । ଏହି ଆପ୍ ମାଧ୍ୟମରେ ଛାତ୍ରୀମାନେ ବିଭିନ୍ନ ସୁରକ୍ଷା ସମ୍ପର୍କିତ ସେବା ପାଇବେ । ଏଥିରେ ଏସ୍ଓଏସ୍ ଆସିଷ୍ଟାଣ୍ଟ, ସେଫ୍ଟି ଚେକ୍ ଇନ୍, ଶିକ୍ଷାନୁଷ୍ଠାନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଘୋଷଣା ତଥା ସୂଚନା, କାଉନ୍ସେଲିଂ ସପୋର୍ଟ ସମେତ ଅନ୍ୟ ଛାତ୍ରୀଙ୍କ ହିତାକାଂକ୍ଷୀ ସେବା ଉପଲବ୍ଧ ରହିଛି ।
ଏହି ଆପ୍କୁ ଶିକ୍ଷାର୍ଥୀମାନେ ମୋବାଇଲ୍ରେ ଡାଉନ୍ଲୋଡ୍ କରି କିପରି ବ୍ୟବହାର କରିବେ ସେନେଇ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ଏସମ୍ପର୍କରେ ଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି । ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ କୁଳସଚିବ ଓ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏନେଇ ଚିଠି ଲେଖାଯାଇଛି ।
ଏହି ଆପ୍ଲିକେସନ୍ ଡାଉନ୍ଲୋଡ୍ କରିବା ପରେ ପଞ୍ଜୀକରଣ କରିବାକୁ ତଥ୍ୟ ମାଗିବ । ଏଥିରେ ଛାତ୍ରଛାତ୍ରୀଙ୍କ ନାମ, ସାମ୍ସ ଆଇଡି, କଲେଜ କିମ୍ବା ବିଶ୍ୱବିଦ୍ୟାଳୟର ପଞ୍ଜୀକରଣ ନମ୍ବର, ଲିଙ୍ଗ, ସାମ୍ସରେ ପଞ୍ଜିକୃତ ମୋବାଇଲ ନମ୍ବର ଦେବା ସହ ଦୁଇଟି ଜରୁରୀକାଳୀନ ମୋବାଇଲ ନମ୍ବର ପ୍ରଦାନ କରିବେ । ଏହି ଆପ୍ ୨୪ ଘଣ୍ଟିଆ ସେବା ପ୍ରଦାନ କରିବ । ଏହାକୁ ବ୍ୟବହାର କରି ଛାତ୍ରଛାତ୍ରୀମାନେ କୌଣସି ଖରାପ ପରିସ୍ଥିତିରେ ଥିଲେ ଏହି ଆପ୍ରେ ତଥ୍ୟ ପ୍ରଦାନ କରିପାରିବେ । ଏହାକୁ ଉଚ୍ଚଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ବିଭାଗ ଯାଏ ସମସ୍ତଙ୍କ ପାଖରେ ଏହି ଅଭିଯୋଗ ପହଞ୍ଚିପାରିବ । ଏହାର ତ୍ୱରିତ୍ୱ ସମାଧାନ ହେବ । ଜରୁରୀକାଳୀନ ଅପସନ୍ରେ କ୍ଲିକ୍ କଲେ ଏହା ସଙ୍ଗେ ସଙ୍ଗେ ଅଧିକାରୀଙ୍କୁ ସତର୍କ କରିବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କୁ କୁହାଯାଇଛି, ଯେଉଁ ଛାତ୍ରଛାତ୍ରୀମାନେ ବର୍ତ୍ତମାନ ପଢ଼ୁଛନ୍ତି ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।
Powered by Froala Editor