ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୧୫ଟି ମାମଲାର ହେଲା ଫଇସଲା, ୯ କୋଟି ୬୮ ଲକ୍ଷ ୧୧ ହଜାର ୩୩୪ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ
କଟକ: ଓଡ଼ିଶା ହାଇକୋର୍ଟ ଲିଗାଲ ସର୍ଭିସେସ କମିଟି ଆନୁକୂଲ୍ୟରେ ଦ୍ବିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅଦାଲତରେ ବିଭିନ୍ନ ବର୍ଗର ମୋଟ ୧୧୫ଟି ମାମଲାର ଫଇସଲା କରାଯାଇ ୯ କୋଟି ୬୮ ଲକ୍ଷ ୧୧ ହଜାର ୩୩୪ ଟଙ୍କା କ୍ଷତିପୂରଣ ବାବଦରେ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଓଡ଼ିଶା ଷ୍ଟେଟ ଲିଗାଲ ସର୍ଭିସେସ ଅଥରିଟିର ମୁଖ୍ୟ ପୃଷ୍ଠପୋଷକ ତଥା ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ, ଓଡ଼ିଶା ଷ୍ଟେଟ ଲିଗାଲ ସର୍ଭିସେସ ଅଥରିଟିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ହାଇକୋର୍ଟର ବିଚାରପତି ମାନସ ରଞ୍ଜନ ପାଠକ ଏବଂ ହାଇକୋର୍ଟ ଲିଗାଲ ସର୍ଭିସେସ କମିଟିର ଅଧ୍ୟକ୍ଷ ତଥା ହାଇକୋର୍ଟର ବିଚାରପତି କୃଷ୍ଣ ରାମ ମହାପାତ୍ରଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଲୋକ ଅଦାଲତର ବିଭିନ୍ନ ଖଣ୍ଡପୀଠରେ ଜଷ୍ଟିସ ବି.ପି ରାଉତରାୟ, ଜଷ୍ଟିସ ଡ. ଏସ.କେ ପାଣିଗ୍ରାହୀ, ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଏ.କେ ମହାପାତ୍ର, ଜଷ୍ଟିସ ଭି. ନରସିଂହ, ଜଷ୍ଟିସ ବି.ପି ଶତପଥୀ, ଜଷ୍ଟିସ ଏମ.ଏସ ରମଣ, ଜଷ୍ଟିସ ଏସ.କେ ମିଶ୍ର, ଜଷ୍ଟିସ ଜି. ଶତପଥୀ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶ ମାମଲାର ଶୁଣାଣି କରିଥିଲେ।
Powered by Froala Editor