୫୦୦ ରୁ ୫୦୦ ନମ୍ବର ରଖି ଟିନା ରଥ ଏବଂ ଆଲିଶା ବିଶ୍ୱାଳ ସିବିଏସଇ ଦଶମ ଟପ୍ପର
ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଓଡ଼ିଶାର ଦୁଇ ମେଧାବୀ ଛାତ୍ରୀ ଟିନା ରଥ ଏବଂ ଆଲିଶା ବିଶ୍ୱାଳ ୫୦୦ ରୁ ୫୦୦ ନମ୍ବର ରଖି ଟପ୍ପର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଓଡ଼ିଶାର ଦୁଇ ମେଧାବୀ ଛାତ୍ରୀ ଟିନା ରଥ ଏବଂ ଆଲିଶା ବିଶ୍ୱାଳଙ୍କୁ ମୋର ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ସଫଳତା ପ୍ରମାଣ କରୁଛି ଯେ ସୁଯୋଗ ମିଳିଲେ ଆମ ଝିଅମାନେ ଆକାଶ ଛୁଇଁପାରିବେ। ଏହା ହିଁ 'ନାରୀଶକ୍ତି ବନ୍ଦନ'ର ପ୍ରକୃତ ପ୍ରତିଫଳନ। ଉଭୟ କୃତୀ ଛାତ୍ରୀଙ୍କ ସମେତ ସମସ୍ତ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
ଟିନାଙ୍କ ଘର ପୁରୀ ଲୋକନାଥ ରୋଡ୍ ରେ। ସେ ପୁରୀର ମଦର୍ସ ପବ୍ଲିକ ସ୍କୁଲରେ ପାଠ ପଢୁଥିଲେ । ଟିନାଙ୍କ ବାପା ସମୀର ରଥ ଓ ମା’ ରେଣୁପ୍ରଭା ଦାସ ଉଭୟ ପେସାରେ ସଫ୍ଟୱେୟାର ଇଞ୍ଜିନିୟର । ଦିନକୁ ୧୦ ଘଣ୍ଟା ପାଠ ପଢ଼ିବା ସହ ପଢ଼ା ସମୟରେ ଏକାଗ୍ରତା ତାଙ୍କ ସଫଳତାର ମନ୍ତ୍ର ବୋଲି ସେ କହିଛନ୍ତି । ଭବିଷ୍ୟତରେ ଜଣେ କାର୍ଡିଓ ସର୍ଜନ ହେବାକୁ ଟିନା ଲକ୍ଷ୍ୟ ରଖିଛନ୍ତି ।
ସେହିପରି ପ୍ରଥମ ସିଫ୍ଟରେ ଛାତ୍ରୀ ଆଲିସା ବିଶ୍ୱାଳ ସର୍ବାଧିକ ୫୦୦ ମାର୍କ ରଖି ସ୍କୁଲ ଟପ୍ପର ହୋଇଛନ୍ତି । ସେ ସୁଦର୍ଶନ ବିଶ୍ୱାଳ ଓ ସୌଦାମିନି ବିଶ୍ୱାଳଙ୍କ ଝିଅ । ଶ୍ରୀ ବିଶ୍ୱାଳ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର ଅଛନ୍ତି।
ସର୍ବଭାତୀୟ ସ୍ତରରେ ଦଶମ ଶ୍ରେଣୀରେ ପାସ୍ହାର ୯୩.୭୦% ହୋଇଛି, ଯାହାକି ୨୦୨୫ ତୁଳନାରେ ୦.୦୪% ଅଧିକ। ଚଳିତବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଦେଶରେ ୨୪ ଲକ୍ଷ ୮୩ ହଜାର ୪୭୯ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨୪ ଲକ୍ଷ ୭୧ ହଜାର ୭୭୭ ଜଣ ପରୀକ୍ଷା ଦେଇଥିବା ବେଳେ ୨୩ ଲକ୍ଷ ୧୬ ହଜାର ୮ ଜଣ ପାସ୍ କରିଛନ୍ତି।
ଓଡ଼ିଶାରେ ପରୀକ୍ଷା ଦେବାକୁ ୭୪୧ ବିଦ୍ୟାଳୟର ୬୫ ହଜାର ୨୦୪ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୬୪ ହଜାର ୯୦୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଏବଂ ୬୦ ହଜାର ୭୮୮ ଜଣ ପାସ୍ କରିଛନ୍ତି। ପାସ୍ହାର ୯୩.୬୬% ହୋଇଛି। ପରୀକ୍ଷା ଦେଇଥିବା ୩୪ ହଜାର ୫୧୨ ଜଣ ଛାତ୍ରଙ୍କ ମଧ୍ୟରୁ ୩୧ ହଜାର ୯୭୧ ଜଣ ଓ ୩୦ ହଜାର ୩୮୮ ଛାତ୍ରୀଙ୍କ ମଧ୍ୟରୁ ୨୮ ହଜାର ୮୧୭ ଜଣ ପାସ୍ କରିଛନ୍ତି।
Powered by Froala Editor