ପ୍ରେମରେ ହାରିଗଲେ, ଶେଷରେ ଦେଇଦେଲେ ଜୀବନ
ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ତାରୁଆଁ ଗ୍ରାମର ପ୍ରମୋଦ ଦାସଙ୍କ ପୁଅ ବୁବୁଲା ଦାସ(୨୨) ୩ମାସ ହେବ ଯାଜପୁର ଜିଲ୍ଲା କୋରେଇ ଗାଡିଆ ଗ୍ରାମର ଲକ୍ଷ୍ମୀଧର ରାଉତଙ୍କ ଝିଅକୁ ଭଲ ପାଉଥିଲେ। ଭଲପାଇବାକୁ ବଞ୍ଚାଇ ରଖିବାକୁ ଯାଇ ଉଭୟ ଘରୁ ଲୁଚି ଚାଲି ଯାଇଥିଲେ। ଘଟଣାକୁ ନେଇ ଝିଅ ଘର କୋରେଇ ଥାନାରେ ଏତଲା ଦେଇଥିଲେ।
ପୁଲିସ ଅନୁସନ୍ଧାନ କରିବାପରେ ସେମାନଙ୍କୁ ବାଙ୍ଗାଲୋରରୁ ଠାବ କରିଥିଲା। ପରେ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ୩ମାସ ଜେଲଦଣ୍ଡ ଶୁଣାଇଥିଲା। ପୁଅ ଜେଲରୁ ଫେରିବା ପରେ ବାପା ଓ ମା, ଝିଅ ଘରକୁ ସମାଧାନ ଉଦ୍ଦେଶ୍ୟ ରେ ଯାଇଥିଲେ। କିନ୍ତୁ ଝିଅର ପରିବାର ଲୋକେ ସେଠାରେ ଅପମାନ ଦେଇଥିଲେ। ସେଠାରୁ ଫେରିବା ପରେ ମଧ୍ୟ ପ୍ରେମିକା ସହ ଫୋନ ଯୋଗେ ସଂପର୍କ ରଖିବା ପାଇଁ ବାରମ୍ୱାର ଚେଷ୍ଟା କରୁଥିଲା ବୁବୁଲା। କିନ୍ତୁ ବାପା ଓ ବୋଉ ମାନସିକ ଅଶାନ୍ତିରେ ଥିବା ଦେଖି ନିଜର ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଘଟଣାରେ ଚରମ ନିଷ୍ପତ୍ତି ନେଇ ଘରେ କେହି ନଥିବା ବେଳେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଘଟଣାରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।
Powered by Froala Editor