ଶିମିଳିପାଳରୁ ଦେବ୍ରିଗଡ଼କୁ ଆସିବେ ୨ ବାଘ
ରାଜ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ବରଗଡ଼ ଜିଲାସ୍ଥିତ ଦେବ୍ରୀଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଖୁବଶୀଘ୍ର ଦୁଇଟି ନୂଆ ବାଘ ଅଣାଯିବ। ସୋମବାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ନିଶ୍ଚିତ କରିଛନ୍ତି, ରାଜ୍ୟ ପକ୍ଷରୁ ଶିମିଳିପାଳରୁ ବାଘ ଆଣିବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA) ସହିତ ସମନ୍ୱୟ କରାଯାଉଛି। ଏହି ପ୍ରୟାସର ସଫଳତା ପାଇଁ ସ୍ଥାନୀୟ ଗୋଷ୍ଡୀଙ୍କର ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।
ବାଘ ବଂଶ ବୃଦ୍ଧି କ୍ଷେତ୍ରରେ ପୂର୍ବ ପ୍ରଚେଷ୍ଟା ବିଷୟରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ପୂର୍ବରୁ ମୟୂରଭଞ୍ଜର ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପକୁ ‘ଯମୁନା’ ଓ ‘ଜିନତ’ ନାମକ ଦୁଇଟି ବାଘ ଅଣାଯାଇଥିଲା। ବାଘ ବଂଶ ବୃଦ୍ଧିରେ ଆଶାଜନକ ସଫଳତା ମିଳିନଥିଲେ ହେଁ ସଂରକ୍ଷଣ ପ୍ରୟାସ ଜାରି ରହିଛି। ବର୍ତ୍ତମାନ GPS ଟ୍ରାକିଂ ଏବଂ କ୍ୟାମେରା ଟ୍ରାପ୍ ସାହାଯ୍ୟରେ ବାଘମାନଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଉଛି। ନୂଆ ବାଘଙ୍କ ଆଗମନ ସହିତ ଦେବ୍ରିଗଡ଼ରେ ବାଘସଂଖ୍ୟା ବୃଦ୍ଧି ପାଇବା ଆଶା କରାଯାଉଛି।
ଅନ୍ୟପଟେ, ସମ୍ବଲପୁରର ମୋତିଝରନ ସ୍ଥିତ ଚିଡ଼ିଆଖାନା ପାଇଁ ଏକ ଖୁସି ଖବର ରହିଛି। କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ ଏହି ଚିଡ଼ିଆଖାନାକୁ ୪ଟି ରୟାଲ ବେଙ୍ଗଲ ଟାଇଗର ଆଣିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ପ୍ରଥମ ଥର ପାଇଁ ଏଠାରେ ମହାବଳ ବାଘ ଦେଖିବାକୁ ମିଳିବ, ଯାହା ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିବ।
Powered by Froala Editor