୨ ମାସ ବଢିଲା ଇ-କେୱାଇସି ଅବଧି
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୩ ଲକ୍ଷରୁ ଅଧିକ ରାସନ କାର୍ଡ ହିତାଧିକାରୀ ନିଜର ଇ-କେୱାଇସି କରିନାହାନ୍ତି। ସରକାରୀ ଘୋଷଣା ଅନୁସାରେ, ଇ-କେୱାଇସି କରିବାର ଶେଷ ତାରିଖ ହେଉଛି ଡିସେମ୍ବର ୩୧ ତାରିଖ। ତେବେ ଆଉ ୨ ମାସ ବଢିଲା ଇ-କେୱାଇସି ଅବଧି। ଡିସେମ୍ବର ୩୧ରେ ସରୁଥିବା ବେଳେ ଫେବୃଆରି ମାସ ଯାଏଁ ଇ-କେୱାଇସି ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର। ଏବେ ସୁଦ୍ଧା ୯୬ ପ୍ରତିଶତ ଇ-କେୱାଇସି କରି ସାରିଥିବା ବେଳେ ବାକି ୪ ପ୍ରତିଶତ କରି ନାହାନ୍ତି। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ସୂଚନା ମୁତାବକ, ରାଜ୍ୟରେ ୩ କୋଟି ୨୫ ଲକ୍ଷ ୫୧ ହଜାର ୭୭୩ ଜଣ ହିତାଧିକାରୀଙ୍କ ଇ-କେୱାଇସି କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଏହା ଭିତରେ ୩ କୋଟି ୧୨ ଲକ୍ଷ ଲୋକ ନିଜ ଇ-କେୱାଇସି କରିସାରିଛନ୍ତି। ଆହୁରି ୧୩ ଲକ୍ଷ ୪୨ ହଜାର ୪୫୩ ଜଣଙ୍କ ଏହି ପ୍ରକ୍ରିୟା ବାକି ରହିଛି। ରାଜ୍ୟ ବାହାରେ ରହୁଥିବା ୧ଲକ୍ଷ ୪୫ହଜାର ୪୪୬ ଜଣଙ୍କ ଇ-କେୱାଇସି କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧ଲକ୍ଷ ୪୨ହଜାର ୩୫୭ ଜଣ, କଳାହାଣ୍ଡି ୭୧ ହଜାର, ବଲାଙ୍ଗୀର ୬୮ ହଜାର, ବାଲେଶ୍ବର ୬୪ ହଜାର, ମୟୂରଭଞ୍ଜ ୬୧ ହଜାର, ପୁରୀ ୬୨ ହଜାର, ଯାଜପୁରରେ ୬୦ ହଜାର ଲୋକ ଏହି ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି। ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ୬୪୫୩ ଜଣଙ୍କ ଇ-କେୱାଇସି ହୋଇନାହିଁ। ସମସ୍ତେ ଆଉ ୨ ମାସ ସମୟ ଭିତରେ ଇ-କେୱାଇସି କରି ଦିଅନ୍ତୁ ବୋଲି ମନ୍ତ୍ରୀ ନିବେଦନ କରିଛନ୍ତି। ଏବେ ସୁଦ୍ଧା ନୂଆ ୮ ଲକ୍ଷ ରାସନ କାର୍ଡ ବଣ୍ଟନ କରାଯାଇଥିବା କୁହାଯାଇଛି।
Powered by Froala Editor