ପୁରୀ ପୌରପାଳିକା ମହାନଗର ନିଗମ ହେଲା
ପୁରୀ ପୌରପାଳିକା ମହାନଗର ନିଗମରେ ପରିଣତ ହୋଇଛି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ଷ ସାରା ସହରକୁ ଆସୁଥିବା ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ସୁବିଧା ଯୋଗାଇବା ପାଇଁ ପୁରୀ ପୌରପାଳିକାକୁ ମହାନଗର ନିଗମରେ ପରିଣତ କରିବା ପାଇଁ ଘୋଷଣା କରିଛନ୍ତି ମୋହନ ମାଝୀ।
ସୂଚନାଯୋଗ୍ୟ ଯେ, ଭାରତ ବର୍ଷର ଏକ ପ୍ରସିଦ୍ଧ ତୀର୍ଥସ୍ଥଳୀ ହେଉଛି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମ ପୁରୀ । ଏଠାରେ ପ୍ରତିଦିନ ଦେଶବିଦେଶର ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ । ପୁରୀବାସିନ୍ଦା, ଭକ୍ତ ଓ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ମାନର ସୁବିଧା ଉପଲବ୍ଧ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତ ଜୁଲାଇ ୩ ତାରିଖରେ ପୁରୀକୁ ମହାନଗର ନିଗମ ମାନ୍ୟତା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ । ଏଥିପାଇଁ ପୁରୀବାସୀଙ୍କ ମଧ୍ୟ ବହୁ ଦିନର ଦାବୀ ରହିଆସିଥିଲା ।
ପୁରୀ ସହର ଏବଂ ଆଖପାଖ ଅବସ୍ଥିତ ଗ୍ରାମ ପଞ୍ଚାୟତକୁ ସାମିଲ କରି ପୁରୀ ମହାନଗର ନିଗମ ଗଠିତ ହେବ। ପୁରୀ ସଦର ଏବଂ ବ୍ରହ୍ମଗିରି ବ୍ଲକର ପ୍ରାୟ ୭-୮ଟି ଗ୍ରାମପଞ୍ଚାୟତକୁ ସାମିଲ କରାଯିବ। ଫଳରେ ପଞ୍ଚାୟତବାସୀ ସହର ପରି ସୁବିଧା ପାଇ ପାରିବେ। ଗୁରୁବାର ଠାରୁ ଏହ ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ଆରମ୍ଭ କରାଯିବ।
ପୁରୀରେ ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ। ପାଠାଗାର ଓ ଗବେଷଣାଗାର ମଧ୍ୟ ପ୍ରତିଷ୍ଠା କରାଯିବ। ଅଡିଟୋରିୟମ ସହ ମୁକ୍ତାକାଶ ରଙ୍ଗମଞ୍ଚ ନିର୍ମାଣ କରାଯିବ। ୨୦୩୬ ସୁଦ୍ଧା ପୁରୀକୁ ଦେଶର ଏକ ମୁଖ୍ୟ ଧର୍ମୀୟ ଓ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
Powered by Froala Editor