ବରଗଡ ପାଇଁ ନୂଆବର୍ଷ ଭେଟି, ୧୩୬୨ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପ୍ରକଳ୍ପର ଉଦଘାଟନ
ବରଗଡ଼ ଧନୁଯାତ୍ରା ଦେଖିବା ପାଇଁ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବରଗଡ଼ର ବିକାଶ ପଡ଼ିଆରେ ଓହ୍ଲାଇଥିଲେ। ସେଠାରୁ ସେ ରାଜଦରବାର ଯାଇଥିଲେ। ମୁଖ୍ୟମନ୍ତ୍ରୀ ରାଜ ଅତିଥି ଭାବେ ହାତୀ ଉପରେ ବସି ରଙ୍ଗମହଲରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
କଂସ ମହାରାଜ ତାଙ୍କ ଦରବାରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ସମ୍ରାଟ ଭାବେ ସମ୍ୱୋଧନ କରି ପଚାରିଥିଲେ ମଥୁରା ନଗରୀ (ବରଗଡ଼) ର ବିକାଶ ପାଇଁ କି ପଦକ୍ଷେପ ନିଆଯାଇଛି । ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମଥୁରା (ବରଗଡ଼)ର ଉନ୍ନତି ପାଇଁ ପ୍ରାୟ ୧୩୬୨ କୋଟି ଟଙ୍କାରୁ ଅଧିକ ବିନିଯୋଗରେ ୧୨୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହା ସହିତ ୩୮୦ କୋଟି ଟଙ୍କାର ଚାରିଟି ନୂଆ ପ୍ରକଳ୍ପ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ବରଗଡ଼ରେ ୯୮୦ କୋଟି ୫୮ ଲକ୍ଷ ଟଙ୍କା ବିନିଯୋଗରେ ସମୁଦାୟ ୮୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ, ୩୮୨ କୋଟି ୨୬ ଲକ୍ଷ ଟଙ୍କା ମୂଲ୍ୟର ୩୮ ଟି ଉନ୍ନତିମୂଳକ ପ୍ରକଳ୍ପର ଉଦ୍ଘାଟନ ମଧ୍ୟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଏଥିରେ ସନ୍ତୋଷ ପ୍ରକାଶ କରି କଂସ ମହାରାଜ କହିଲେ ‘ଆତ୍ମତୃପ୍ତି ଲାଭ କଲା ମହାବୀର କଂସାସୁର’ ।
Powered by Froala Editor