ଆମେ କେବଳ ଏଆଇ ଗ୍ରହଣ କରୁନାହୁଁ, ଆମେ ଏକ ଏଆଇ-ଚାଳିତ ଓଡ଼ିଶାର ମୂଳଦୁଆ ନିର୍ମାଣ କରୁଛୁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ପ୍ରଶାସନ, ବିକାଶ ଏବଂ ସାର୍ବଜନୀନ ହିତ ପାଇଁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)କୁ ଆଗକୁ ବଢ଼ାଇବା ଉପରେ କେନ୍ଦ୍ରିତ ଉଚ୍ଚସ୍ତରୀୟ ଦୁଇଦିନିଆ ଏଆଇ ସମ୍ମିଳନୀ ଲୋକସେବା ଭବନ କନଭେନ୍ସନ ସେଣ୍ଟରରେ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସି ମାଧ୍ୟମରେ ଯୋଡ଼ି ହୋଇ କହିଲେ ଯେ, ଆମେ କେବଳ ଏଆଇ ଗ୍ରହଣ କରୁନାହୁଁ, ଆମେ ଏକ ଏଆଇ-ଚାଳିତ ଓଡ଼ିଶାର ମୂଳଦୁଆ ନିର୍ମାଣ କରୁଛୁ। ଏହା ଶାସନ ଓ ସେବା ପ୍ରଦାନର ଗତିକୁ ସୁଦୃଢ଼ କରିବ ଏବଂ ନାଗରିକଙ୍କୁ ସଶକ୍ତ କରିବ। ଭାରତ ଏକ ଐତିହାସିକ ବୈଷୟିକ ପରିବର୍ତ୍ତନ ଦେଇ ଗତି କରୁଛି। ଓଡ଼ିଶା ଏହି ଜାତୀୟ ଆନ୍ଦୋଳନରେ ଏକ ସକ୍ରିୟ ଏବଂ ମହତ୍ବାକାଂକ୍ଷୀ ଅଂଶୀଦାର ହେବ।
ଏହି ଅବସରରେ ଓଡ଼ିଶା କୃତ୍ରିମ ବୁଦ୍ଧିମତ୍ତା ମିଶନ ପୋର୍ଟାଲ ଲୋକାର୍ପିତ କରି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଭାରତ ଏଆଇ ଇମ୍ପାକ୍ଟ ଶିଖରର ନୀତି, ତିନୋଟି ସୂତ୍ର ଏବଂ ସାତ ଚକ୍ର ସହିତ ସମ୍ମିଳନୀର ସମନ୍ବୟ ଉପରେ ଆଲୋକପାତ କରିଥିଲେ।
ମୁଖ୍ୟ ସଚିବ ମନୋଜ ଆହୁଜା ନୀତିଗତ ଏବଂ ଉତ୍ତରଦାୟୀ ଭାବେ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର ଅଧିକ ଆବଶ୍ୟକ ବୋଲି କହିଥିଲେ। ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ବିଭିନ୍ନ ସଙ୍ଗଠନ ସହିତ ଗୁରୁତ୍ବପୂର୍ଣ୍ଣ ସହଭାଗିତା ବିଷୟରେ କହିଥିଲେ। ବିଭାଗର ସ୍ବତନ୍ତ୍ର ସଚିବ ମାନସ ପଣ୍ଡା ଧନ୍ୟବାଦ ଦେଇଥିଲେ।
Powered by Froala Editor