ରାଉରକେଲା ହେବ ସମୃଦ୍ଧ ସହର, ସହରକୁ ଆସିବ ୧୦୦ ଇ-ବସ୍
ରାଉରକେଲା : ରାଉରକେଲାକୁ ସମୃଦ୍ଧ ସହର ଭାବେ ଗଢ଼ି ତୋଳିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସହରକୁ ୧୦୦ ଇ-ବସ୍ ଆସିବାକୁ ଥିବାବେଳେ ବିମାନବନ୍ଦର ସମ୍ପ୍ରସାରଣ ପାଇଁ ସରକାର ଯୋଜନା କରିବା ସହ ଇଣ୍ଡିଗୋ ସହ ଚୁକ୍ତି ପାଇଁ ଯୋଜନା ଚାଲିଛି। ଏହି ଲକ୍ଷ୍ୟ ପୂରଣ କରିବା ହେବ ଆମର ପ୍ରାଥମିକତା ବୋଲି କହିଛନ୍ତି ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ । ବୁଧବାର ରାଉରକେଲାକୁ ଦୁଇଦିିନିଆ ଗସ୍ତରେ ଆସିଥିବା ରାଜ୍ୟ ସରକାରଙ୍କ ଦୁଇ ବରିଷ୍ଠ ପ୍ରଶାସନିକ ଅଧିକାରୀ ଦିନସାରା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ, ସମୀକ୍ଷା କରିବା ପରେ ମହାନଗର ନିଗମରେ ବିସ୍ତୃତ ସମୀକ୍ଷା ବେଳେ ଏଭଳି ପ୍ରକାଶ କରିଛନ୍ତି । ଶେଷରେ ସନ୍ଧ୍ୟାରେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସେ ଅଧ୍ୟକ୍ଷତା କରି ରାଉରକେଲା ମହାନଗର ନିଗମ ଓ ରାଉରକେଲା ସ୍ମାର୍ଟସିଟି ଲିମିଟେଡ ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ। ଏଥିସହ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଗୁଡ଼ିକର ରକ୍ଷଣାବେକ୍ଷଣକୁ ମଧ୍ୟ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ବୈଠକରେ ଉପସ୍ଥିତ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ତଥା ବାଣିଜ୍ୟ ଓ ପରିବହନ ବିଭାଗର ସଚିବ ଉଷା ପାଢୀ ରାଉରକେଲା ସହରରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ପ୍ରଶଂସା କରିଥିଲେ। ଏହି ଅବସରରେ ସେ ରାଉରକେଲା ବିମାନ ବନ୍ଦରର ସମ୍ପ୍ରସାରଣ କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ ହେବା ନେଇ ସୂଚନା ଦେବା ସହ ଏହାକୁ ଏକ ବଡ଼ ବିମାନବନ୍ଦର ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଥିବା ପ୍ରକାଶ କରିଛନ୍ତି। ଏହା କିପରି ସଫଳ ଭାବେ କାର୍ଯ୍ୟକାରୀ ହୋଇପାରିବ ସେ ନେଇ ରାଉରକେଲା ଇସ୍ପାତ କାରଖାନାର ଅଧିକାରୀଙ୍କ ସହ ଆଲୋଚନା ହୋଇଥିବା କହିବା ସହ ବିଭିନ୍ନ ସହରକୁ ସଂଯୋଗ କରିବା ପାଇଁ ଇଣ୍ଡିଗୋ ସଂସ୍ଥା ସହ ଆଲୋଚନା ହୋଇଥିବା ସୂଚନା ଦେଇଥିଲେ।
Powered by Froala Editor