ଟଙ୍କା ପାଇଁ ବାହାଘର, ଯୁବକଙ୍କୁ ଲୁଟି କନ୍ୟା ଫେରାର
ଉତ୍ତରପ୍ରଦେଶର ମଥୁରାରେ ବିବାହ ପରେ ଯୁବକଙ୍କଠାରୁ ଟଙ୍କା ଲୁଟି ଯୁବତୀ ଫେରାର ହୋଇଛି । ସୂଚନା ଅନୁଯାୟୀ, ଏହି ମାମଲା ମଥୁରା ଜିଲ୍ଲାର ସୁରୀର କୋତୱାଲି ଥାନା ଅନ୍ତର୍ଗତ ନଗଲା ଜୟ ସିଂହ ଗାଁର । ଏହି ଗାଁର ବାସିନ୍ଦା ଚନ୍ଦ୍ରଭାନ ନାମକ ଜଣେ ଯୁବକ ବାହାଘର ଆଶାରେ ଥିଲେ ।
ଚନ୍ଦ୍ରଭାନଙ୍କ ସମ୍ପର୍କୀୟ ସୁନ୍ଦର ନାମକ ଜଣେ ବ୍ୟକ୍ତି ବିବାହ କରାଇବା ପ୍ରତିଶ୍ରୁତି ଦେଇ ତାଙ୍କଠାରୁ ପ୍ରାୟ ୧ ଲକ୍ଷ ୧୫ ହଜାର ଟଙ୍କା ନେଇଥିଲେ । ଏହି ଟଙ୍କା ମଧ୍ୟରୁ ୯୯ ହଜାର ଟଙ୍କା ଅନଲାଇନ୍ UPI ଜରିଆରେ ଏବଂ ୧୬ ହଜାର ଟଙ୍କା ନଗଦ ଆକାରରେ ନିଆଯାଇଥିଲା। ଏହାପରେ ସୁନ୍ଦର ଚନ୍ଦ୍ରଭାନଙ୍କୁ ଆଲିଗଡ଼ର ଏକ ମନ୍ଦିରକୁ ନେଇଯାଇଥିଲା, ଯେଉଁଠାରେ ଜଣେ ଯୁବତୀଙ୍କ ସହ ତାଙ୍କର ବିବାହ କରାଯାଇଥିଲା ।ଏହି ବିବାହରେ କିଛି ଲୋକ କନ୍ୟା ପକ୍ଷରୁ ସମ୍ପର୍କୀୟ ସାଜି ଉପସ୍ଥିତ ମଧ୍ୟ ଥିଲେ । ସେମାନଙ୍କ ମଧ୍ୟରୁ ରବୀନ୍ଦ୍ର ଭାଟିକୁ କନ୍ୟାର କକା ଏବଂ ଦିନେଶ ଭାଟିକୁ ଭାଇ ବୋଲି ପରିଚୟ ଦିଆଯାଇଥିଲା ।
ମନ୍ଦିରରେ ବାହାଘରର ସମସ୍ତ ବିଧି ଶେଷ ହେବାପରେ ଚନ୍ଦ୍ରଭାନ ବେଶ୍ ଖୁସିରେ ନିଜ ନବବିବାହିତା ସ୍ତ୍ରୀଙ୍କୁ ଧରି ଗାଁକୁ ଫେରିଥିଲେ। କିନ୍ତୁ ଗାଁରେ ପହଞ୍ଚିବା ପରେ କାହାଣୀରେ ଏକ ନୂଆ ମୋଡ଼ ଆସିଥିଲା। ନବବିବାହିତା ତାଙ୍କର ଦୁଇ ସହଯୋଗୀ ଇରଫାନ ଏବଂ ସୁନ୍ଦରଙ୍କ ସହ ସେଠାରୁ ଫେରାର୍ ହୋଇଯାଇଥିଲେ । ନିଜ ସହ ହୋଇଥିବା ଏହି ଠକାମି ସମ୍ପର୍କରେ ବୁଝିପାରିବା ପରେ ଚନ୍ଦ୍ରଭାନ ତୁରନ୍ତ ପୋଲିସର ଦ୍ବାରସ୍ଥ ହୋଇଥିଲେ । ପୋଲିସ ତଦନ୍ତ କରି ଠକେଇ ଗ୍ୟାଙ୍ଗର ୩ ଜଣ ଅଭିଯୁକ୍ତଙ୍କୁ କାବୁ କରିଛି ।
Powered by Froala Editor