ବନ୍ୟାରେ ନିଖୋଜ ଖବର ମିଛ, ମୁମ୍ବାଇରେ ପହଞ୍ଚିଲେ ମାନସୀ
ନେପାଳ ଓ ତିବ୍ଦତରେ ହୋଇଥିବା ଭୟଙ୍କର ବନ୍ୟା ମଧ୍ୟରେ ଅଭିନେତ୍ରୀ ମାନସୀ ପାରେଖ ନିଖୋଜ ଥିବା ନେଇଙ୍କୁ ନେଇ ବିଭିନ୍ନ ଗୁଜବ ସୃଷ୍ଟି ହୋଇଥିଲା। ତେବେ ମାନସୀ ସୁରକ୍ଷିତ ଭାବେ କୈଳାସ ମାନସରୋବର ଯାତ୍ରା ସମାପ୍ତ କରି ମୁମ୍ବାଇ ଫେରିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ପରିବାର ସଦସ୍ୟମାନେ ତାଙ୍କୁ ଦେଖି ଆଶ୍ୱସ୍ତ ହୋଇଛନ୍ତି।
ଈଶା ଫାଉଣ୍ଡେସନର ୯୩ ଜଣ ସଦସ୍ୟଙ୍କ ସହ ଯାତ୍ରାରେ ସାମିଲ ହୋଇଥିବା ମାନସୀ ଏହାକୁ ନିଜ ଜୀବନର ସବୁଠାରୁ ସ୍ମରଣୀୟ ଅନୁଭୂତି ବୋଲି କହିଛନ୍ତି। ମାନସୀ କହିଛନ୍ତି ଯେ କୈଳାସ ଯାତ୍ରା ସହଜ ନଥିଲା। ପ୍ରବଳ ଶୀତ, ଅଧିକ ଉଚ୍ଚତା ଓ କଷ୍ଟସାଧ୍ୟ ପାହାଡ଼ିଆ ରାସ୍ତା ମଧ୍ୟରେ ତାଙ୍କୁ ପ୍ରାୟ ୨୦ କିଲୋମିଟର ଚାଲିବାକୁ ପଡ଼ିଥିଲା। ଉଚ୍ଚତାରେ ଶରୀରକୁ ସୁସ୍ଥ ରଖିବା ପାଇଁ ସେ ପ୍ରତିଦିନ ସକାଳୁ ଉଠି ପ୍ରସ୍ତୁତ ହେଉଥିଲେ। ପାହାଡ଼ିଆ ପରିବେଶରେ ମେକଅପ୍ ଅପେକ୍ଷା ସନବ୍ଲକ୍ ଓ ସାଧାରଣ ଯତ୍ନ ଅଧିକ ଜରୁରୀ ବୋଲି ସେ ଅନୁଭବ କରିଥିବା କଥା ମଧ୍ୟ ସେୟାର କରିଛନ୍ତି। ସୋସିଆଲ ମିଡିଆରେ ସେ ଯାତ୍ରାର ଅନେକ ଫଟୋ ଓ ଭିଡିଓ ସେୟାର କରି ଲେଖିଛନ୍ତି, “ଏହି ଯାତ୍ରା ଜୀବନସାରା ମୋ ହୃଦୟରେ ରହିବ। ଏହା କେବଳ ଏକ ଭ୍ରମଣ ନୁହେଁ, ବରଂ ଆତ୍ମିକ ଅନୁଭୂତିର ଏକ ଅବିସ୍ମରଣୀୟ ଅଧ୍ୟାୟ।”
କୈଳାସ ପର୍ବତର ପୂର୍ବ ପ୍ରାନ୍ତ ପ୍ରଥମ ଥର ଦେଖିବା ମୁହୂର୍ତ୍ତକୁ ସେ ଜୀବନର ସବୁଠାରୁ ଶାନ୍ତିଦାୟକ ଅନୁଭୂତି ବୋଲି ବର୍ଣ୍ଣନା କରିଛନ୍ତି।
Powered by Froala Editor