ଜି-୨୩ ଅସନ୍ତୁଷ୍ଟ ନେତାଙ୍କୁ ଥଇଥାନ କଲେ ସୋନିଆ

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ସଂସଦୀୟ ଗୋଷ୍ଠୀରେ କେତେକ ପରିବର୍ତ୍ତନ ଆଣିଛନ୍ତି । ଗତବର୍ଷ ଅଗଷ୍ଟରେ ସଂଗଠନରେ ପରିବର୍ତ୍ତନ ପାଇଁ ଚିଠି ଲେଖି ଜି-୨୩ ଅସନ୍ତୁଷ୍ଟ ନେତାଙ୍କ ମଧ୍ୟରୁ କିଛି ନେତାଙ୍କୁ ପୂର୍ବରୁ ବିଭିନ୍ନ ପଦପଦବିରୁ ବିଦା କରାଯାଇଥିଲା । କିନ୍ତୁ ପୁନର୍ଗଠିତ କମିଟିରେ ସେମାନଙ୍କ ମଧ୍ୟରୁ କିଛି ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦପଦବିରେ ଥଇଥାନ କରାଯାଇଛି । ଲୋକସଭା ପାଇଁ ଗଠନ ହୋଇଥିବା ଦଳର ୭ ଜଣିଆ ଗୋଷ୍ଠୀରେ ଚିଠି ଲେଖିଥିବା ଶଶୀ ଥରୁର ଏବଂ ମନୀଶ ତିୱାରୀଙ୍କୁ ରଖାଯାଇଛି । ଏଥିସହିତ ପଶ୍ଚିମବଙ୍ଗ ରାଜ୍ୟ କଂଗ୍ରେସ କମିଟି ମୁଖ୍ୟ ଥିବା ଅଧୀର ରଂଜନ ଚୌଧୁରୀଙ୍କୁ ଲୋକସଭାରେ ଦଳର ନେତା ପଦରୁ ହଟାଯିବ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ସୋନିଆ ତାଙ୍କୁ ବଦଳାଇନାହାନ୍ତି । ସେ ଲୋକସଭାରେ ଦଳର ନେତାଭାବେ ପୂର୍ବବତ କାମ କରିବେ । ଏଥିସହିତ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପୁଅ ଗୌରବ ଗୋଗୋଇ ମଧ୍ୟ ପୂର୍ବଭଳି ଲୋକସଭାରେ କଂଗ୍ରେସର ଉପନେତା ଭାବେ କାର୍ଯ୍ୟ କରିବେ । ସେହିଭଳି କେ ସୁରେଶ ଲୋକସଭାରେ ଦଳର ମୁଖ୍ୟ ସଚେତକ ରହିବେ । ସେହିଭଳି ଲୋକସଭା ପାଇଁ ଦଳ ପକ୍ଷରୁ ପୁନର୍ଗଠିତ ୭ ଜଣିଆ କମିଟିରେ ରବନୀତ ସିଂହ ବିଟ୍ଟୁ ଏବଂ ମାଣିକରାମ ଟାଗୋର ଦଳର ସଚେତକ ଭାବେ କାମ କରିବେ । ରାଜ୍ୟସଭାରେ ଦଳର ନେତାଭାବେ ମଲ୍ଲିକାର୍ଜୁନ ଖାଡଗେ ଦାୟିତ୍ୱ ତୁଲାଇବେ । ଅନ୍ୟତମ ଅସନ୍ତୁଷ୍ଟ ଆନନ୍ଦ ଶର୍ମାଙ୍କୁ ରାଜ୍ୟସଭାରେ ଦଳର ଉପନେତା ଭାବେ ପୂର୍ବବତ ଦାୟିତ୍ୱ ସମ୍ଭାଳିବେ । ରାଜ୍ୟସଭାରେ ଦଳର ମୁଖ୍ୟ ସଚେତକଭାବେ ଜୟରାମ ରମେଶଙ୍କ ନାମ ଘୋଷଣା କରାଯାଇଛି । ଅମ୍ବିକା ସୋନି, ପି ଚିଦମ୍ବରମ, ଦିଗବିଜୟ ସିଂହ ଏବଂ କେ ସି ବେଣୁଗୋପାଳ ଉକ୍ତ କମିଟିର ଅନ୍ୟତମ ସଦସ୍ୟ ରହିଛନ୍ତି । ପ୍ରତିଦିନ ଏହି ଗୋଷ୍ଠୀର ବୈଠକ ହେବ । ଲୋକସଭା ଏବଂ ରାଜ୍ୟସଭା ପାଇଁ ନିଯୁକ୍ତ ଗୋଷ୍ଠୀର ଯୁଗ୍ମ ବୈଠକ ଡାକିବା ପାଇଁ ମଲ୍ଲିକାର୍ଜୁନ ଖାଡଗେଙ୍କୁ ଆବାହକ ଦାୟିତ୍ୱ ଦିଆଯାଇଛି । ସଂସଦରେ କଂଗ୍ରେସ ଦଳ ସରକାରଙ୍କୁ ଦରଦାମ ବୃଦ୍ଧି, କରୋନା ଓ ରାଫେଲ ଆଦି ପ୍ରସଙ୍ଗରେ ଘେରିବ ବୋଲି ଆଶା କରାଯାଉଛି ।
Powered by Froala Editor